ଯକ୍ଷ୍ମାରୋଗ ମୂଳୋତ୍ପାଟନ ପାଇଁ ଜନ ଭାଗୀଦାରି ଜରୁରୀ

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ …

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ-୨୦୨୬ ପାଳିତ ହୋଇଯାଇଛି ଏବଂ ଏହି ଅବସରରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ୨.୦ର ଶହେ ଦିନିଆ କ୍ୟାମ୍ପେନ୍‌ ଶୁଭାରମ୍ଭ ହୋଇଛି। ରାଷ୍ଟ୍ରୀୟ ସ୍ତରରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ‘ଯକ୍ଷ୍ମାମୁକ୍ତ ଭାରତ: ଶହେ ଦିନିଆ ଅଭିଯାନ-୨.୦’ ର ଶୁଭାରମ୍ଭ କରିଛନ୍ତି। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋକସେବା ଭବନ ଠାରେ ଏହି କାର୍ଯ୍ୟକ୍ରମ ସହ ଯୋଡି ହୋଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର’ର ସ୍ୱୀକୃତି ପ୍ରିୟଦର୍ଶିନୀ ବେହେରାଙ୍କୁ ଫୁଡ୍‌ ବାସ୍କେଟ୍‌ ପ୍ରଦାନ କରି ରାଜ୍ୟସ୍ତରୀୟ କ୍ୟାମ୍‌ପେନର ଶୁଭାରମ୍ଭ କରିଥିଲେ। ଭାରତ ସରକାରଙ୍କ ପକ୍ଷରୁ ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି, ଆଗାମୀ ଶହେ ଦିନକୁ ଦୃଷ୍ଟିରେ ରଖି ଏଥିପାଇଁ ବେଷ୍ଟ ଷ୍ଟ୍ରାଟେଜି ପ୍ରସ୍ତୁତ କରାଯାଇଛି। ଆମେ କେବଳ ସ୍ଲୋଗାନ୍‌ରେ ସୀମିତ ରଖିନାହୁଁ, ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଛୁ ବୋଲି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ କହିଥିଲେ।

ଯକ୍ଷ୍ମାରୋଗକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ଜନସାଧାରଣମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେବଳ ସରକାରଙ୍କ ଚେଷ୍ଟା ଯଥେଷ୍ଟ ନୁହଁ, ଏଥିପାଇଁ ଜନ ଭାଗୀଦାରି ଆବଶ୍ୟକ। ଏହାଦ୍ୱାରା ଯକ୍ଷ୍ମାମୁକ୍ତ ଅଭିଯାନ ଶତ ପ୍ରତିଶତ ସଫଳତା ହାସଲ କରିବ ଏବଂ ଓଡିଶା ଓ ଦେଶରୁ ଯକ୍ଷ୍ମା ରୋଗ ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ ହେବ। ରାଜ୍ୟର ସମସ୍ତ ଲୋକପ୍ରତିନିଧିଙ୍କୁ ନିଜ ନିଜ ଅଂଚଳରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଏହି ରୋଗ ସମ୍ପର୍କରେ ଥିବା ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ସହ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ସିଭିଲ୍‌ ସୋସାଇଟି ଏବଂ ଶିକ୍ଷାନୁଷ୍ଠାନ ଗୁଡିକୁ ଏହି ଅଭିଯାନରେ ସାମିଲ ହେବା ପାଇଁ କହିଥିଲେ।

କାହିଁକି ଓଡିଶାବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଂଚିତ କରାଯାଇଥିଲା? ଦେଶର ପ୍ରାୟ ୩୨ ହଜାର ହସ୍‌ପିଟାଲରେ ଚିକିତ୍ସିତ ହେବାର ଅଧିକାରକୁ କାହିଁକି ଛଡାଇ ନିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ପୂର୍ବ ସରକାରଙ୍କୁ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆମ ସରକାର ପ୍ରାଥମିକତା ଦେଇ ଆସିଛି।

୨୦୨୬-୨୭ ବର୍ଷ ପାଇଁ ଆମର ସ୍ୱାସ୍ଥ୍ୟ ବଜେଟ ୨୩ ହଜାର ୧୮୨ କୋଟି ଟଙ୍କା ରଖାଯାଇଛି, ଯାହାକି ସମ୍ପୂର୍ଣ୍ଣ ବଜେଟ ଅଟକଳର ୭.୫ ପ୍ରତିଶତ ଏବଂ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଏଝଊଚ)ର ୨.୧ ପ୍ରତିଶତ। ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ଭିତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ୍‌ ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌, ନିରାମୟ, ନିଦାନ ଆଦି କାର୍ଯ୍ୟକ୍ରମ ଜରିଆରେ ସ୍ୱାସ୍ଥ୍ୟସେବା ଓ ରୋଗ ନିରୂପଣ ସେବା ମାଗଣାରେ ଯୋଗାଇ ଦିଆଯାଉଛି ।