ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଦାନ କରାଯିବ ରଥଚକ

ପୁରୀ, (ଏସ୍‌ ନ୍ୟୁଜ): ପ୍ରତିବର୍ଷ ରଥଯାତ୍ରା ପରେ ରଥଗୁଡ଼ିକୁ ଭଙ୍ଗାଯାଇ ରଥ କାଠଗୁଡ଼ିକୁ ରୋଷଘରେ ଜାଳେଣି ରୂପେ ବ୍ୟବହାର କରାଯାଏ । ୨୦୧୨ ମସିହାରେ ତତ୍‌କାଳୀନ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ଼ ରଥଚକ ବିଭିନ୍ନ ଅନୁଷ୍ଠାନକୁ ବିକ୍ରୟ କରାଯିବ । ଯେଉଁମାନେ ଚାହିଁବେ ସେମାନେ ଏହାକୁ ଖରିଦ କରିପାରିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏକ ପ୍ରସ୍ତାବ ଅନୁମୋଦନ କରିଥିଲେ । ତଦନୁଯାୟୀ ୨୦୧୨ରୁ ରଥ ଚକଗୁଡ଼ିକୁ ଭଙ୍ଗାନଯାଇ ସଂରକ୍ଷିତ କରାଗଲା । ୨୦୧୨ ମସିହାରୁ ୨୦୧୯ ପର୍ଯ୍ୟନ୍ତ ନନ୍ଦିଘୋଷ ରଥର ଚକଗୁଡ଼ିକ ବିକ୍ରୟ ହୋଇଯାଇଥିବାବେଳେ ଅନ୍ୟ ଦୁଇ ରଥର ଚକ ଏବେ ବି ଶ୍ରୀମନ୍ଦିର ହେପାଜତରେ ପଡ଼ିରହିଛି । ବର୍ତ୍ତମାନ ସୁଦ୍ଧା ୧୯୦ଟି ଚକ ଥିବାବେଳେ ଏଥିମଧ୍ୟରୁ ୧୩୮ଟି ଚକ ନିଖୁଣ ଅବସ୍ଥାରେ ରହିଛି । ଏହି ଚକଗୁଡ଼ିକୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ମନ୍ଦିରମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରୁଛି । ଆଜି ଶ୍ରୀମନ୍ଦିର ପ୍ରଶାସକ ଉନ୍ନୟନ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ପ୍ରମୁଖ ସେବାୟତମାନଙ୍କ ସହିତ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଚକଗୁଡ଼ିକ ବିକ୍ରୟ ହେଉନଥିବାରୁ ଏହାକୁ ବିଭିନ୍ନ ମଠମନ୍ଦିର ଓ ଧର୍ମାନୁଷ୍ଠାନକୁ ଦେଇଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଉତ୍ତମମାନର ଚକଗୁଡ଼ିକ ଦାନ ଆକାରରେ ଦିଆଯିବ । ଏହି ଚକଗୁଡ଼ିକୁ ଗ୍ରହିତାମାନେ ତାଙ୍କ ସଂସ୍ଥାନରେ ରଥର ପ୍ରତୀକ ରୂପେ ସଜାଇ ରଖିବେ । ଫଳରେ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଉଦ୍‌ରେକ ହେବ । ୨୦୧୨ ମସିହାରେ ଗୋଟିଏ ଚକ ପିଛା ୫୦ହଜାର ଟଙ୍କା ମୂଲ୍ୟରେ ବିକ୍ରୟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ୨୦୧୨ରୁ ୨୦୧୯ ମଧ୍ୟରେ ନନ୍ଦିଘୋଷ ରଥର ୧୨୮ଟି ଚକ ବିକ୍ରୟ ହୋଇଯାଇଛି, କିନ୍ତୁ ଅନ୍ୟ ଦୁଇ ରଥର ଚକ ବିକ୍ରୟ ହୋଇପାରିନାହିଁ । ତେଣୁ ଉତ୍ତମମାନର ଚକଗୁଡ଼ିକୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଦାନ କରାଯିବା ସହିତ ଖରାପ ଚକଗୁଡ଼ିକୁ ଜାଳେଣି ଭାବେ ବ୍ୟବହାର କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।