ପୁରୀ: ପ୍ରତୀକ୍ଷାର ଅନ୍ତ ଘଟିଛି। ଆୟୋଜକ ଓ କଳାକାରଙ୍କ ପ୍ରସ୍ତୁତି ସରିଛି। କେବଳ ରେଖାସୁନ୍ଦରୀ (ଠାକୁରଙ୍କ ପାଟକନା)ଙ୍କୁ ଅପେକ୍ଷା। ରେଖାସୁନ୍ଦରୀ ପ୍ରାପ୍ତି ପରେ ବାହାରିବ ଯାତ। ଶ୍ରୀରାମଲୀଳା ନୀତି ପାଇଁ ଶ୍ରୀଜଗନ୍ନାଥ ଆଜ୍ଞାପତ୍ର ହେଉଛି ରେଖାସୁନ୍ଦରୀ। କାଳିକା ଦେବୀ ସାହି ଆଖଡା କର୍ମକର୍ତାଙ୍କୁ ଠାକୁରଙ୍କ ଆଜ୍ଞା ମିଳିବ। ମହାପ୍ରଭୁଙ୍କ ଶ୍ରୀରାମ ଲୀଳା ସାଙ୍ଗକୁ ପାରମ୍ପରିକ କଳା ପ୍ରଦର୍ଶନରେ ଦୁଲୁକିବ ପୁରୀ ଦାଣ୍ଡ। ବୀରବାଦ୍ୟ ସାଙ୍ଗକୁ ହରିବୋଲ ଧ୍ୱନିରେ କମ୍ପିବ ଆଠସାହି। ମଲ୍ଲୀ ଓ ଅତର ବାସ୍ନାରେ ମହକିବ ଶ୍ରୀକ୍ଷେତ୍ର। ଏହି କ୍ଷଣକୁ ଚାହିଁ ବସିଛନ୍ତି ଦେଖଣାହାରୀ। ଶୁକ୍ରବାର ସର୍ବବୃହତ ମୁକ୍ତାକାଶ ମହୋତ୍ସବ ସାହିଯାତ୍ରାର ଆଦ୍ୟ ପର୍ବ। କାଳିକାଦେବୀ ସାହିଆଙ୍କ ପକ୍ଷରୁ ସମ୍ପନ୍ନ ହେଇଛି ଶ୍ରୀରାମ ଜନ୍ମ ଲୀଳା।
ସାହିଯାତ ଅବସରରେ ପ୍ରାଚୀନ ସଂସ୍କୃତିକୁ ମନେ ପକାଇ ଅତିଥି ଅଭ୍ୟାଗତର ମଜ୍ଜିଛନ୍ତି ପୁରୀବାସୀ। ପ୍ରଥମ ଦିନରେ ମାଟିମଣ୍ଡପ ସାହି ଓ କାଳିକାଦେବୀ ସାହି ଉତ୍ସବମୁଖର ହୋଇଛି। ଦକ୍ଷିଣକାଳୀ ଇଷ୍ଟେଟ ତଥା କାଳିକାଦେବୀ ସାହି ଆଖଡା ସମ୍ପାଦକ ପ୍ରଫୁଲ କୁମାର କୁହନ୍ତି ଠାକୁରଙ୍କ ନୀତି ପାଇଁ ଶ୍ରୀରାମ, ଶ୍ରୀଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଋଷ୍ୟଶୃଙ୍ଗ ଋଷିଙ୍କ ଚରିତ୍ର ସହ ଭୁଆଷିକ ବାହାରିଥିଲେ। ଗଣ୍ଡମାଳ ଜାଗାରୁ ଏମାନେ ବାହାରି କାଳିକାଦେବୀ ସାହି ହୋଇ ଦକ୍ଷିଣକାଳୀ ମନ୍ଦିର ଦେଇ ସିଂହଦ୍ୱାର ପଟେ ଶ୍ରୀମନ୍ଦିରକୁ ଯାଇଥିଲେ। ସେହି ସମୟରେ ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ ସରିଥିଲା। ମହାପ୍ରଭୁଙ୍କ ନୀତି ସରିବା ପରେ ସେମାନେ ରାଜାନଅରକୁ ଯାଇଥିଲେ। ପୁଣି ନିଜ ସାହିକୁ ଫେରିଥିଲା ପଟୁଆର। ୮ ସାହି ମୁରବି ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ସାହିରେ ସ୍ୱାଗତ କରାଯାଇଛି। ଅତିଥିଙ୍କ ଗହଣରେ ପଟୁଆର ବାହାରି ମାଟିମଣ୍ଡପ ସାହିରେ ପହଂଚିଥିଲା। ପ୍ରାୟ ୧୫ଟି ନାଗା, ମେଢ଼ ଓ ନଅସିରା ଆଦି ଚରିତ୍ର ସାହିଯାତରେ ବାହାରିଥିଲା।