୧୯୪୪ରେ ଜୋର ଧରିଥିଲା ଅଳଙ୍କାର ଚାଲାଣ

ରତ୍ନଭଣ୍ଡାରରୁ ଅଳଙ୍କାର ଚାଲାଣ ଆଶଙ୍କା ନୂଆ ନୁହେଁ। …

ପୁରୀ: ରତ୍ନଭଣ୍ଡାରରୁ ଅଳଙ୍କାର ଚାଲାଣ ଆଶଙ୍କା ନୂଆ ନୁହେଁ। ୧୯୪୪ ମସିହାରେ ମଧ୍ୟ ଏପରି ଚର୍ଚ୍ଚା ହୋଇଥିଲା। ସେତେବେଳେ ଅବଶ୍ୟ ଇଂରେଜ ଶାସନ ଚାଲିଥିଲା। ତଥାପି ସେତେବେଳେ ପ୍ରକାଶିତ ଏକ ଖବରକାଗଜରେ ରତ୍ନଭଣ୍ଡାର ଅଳଙ୍କାର ବାହାରକୁ ଚାଲି ଯାଇଥିବା ଖବର ପ୍ରସାରିତ ହୋଇଥିଲା। ରତ୍ନଭଣ୍ଡାର ଗଣତି ଧାରା ଆବାହମାନ କାଳରୁ ଚାଲି ଆସିଛି।

୧୯୦୫ ମସିହାରେ ରତ୍ନଭଣ୍ଡାର ଗଣତି ହୋଇଥିଲା। ରତ୍ନଭଣ୍ଡାରରୁ ସିନ୍ଦୁକ ଅଣାଯାଇ ବେହରଣ ତଳେ ଖୋଲାଯାଇ ସେଥିରେ ମହଜୁଦ ଧନରତ୍ନ ତାଲିକା ପ୍ରସ୍ତୁତ କରାଯାଇଥିଲା। ୧୯୧୩ରେ ମଧ୍ୟ ରତ୍ନଭଣ୍ଡାର ପ୍ରସ୍ତୁତ ହୋଇଥିବାର ପ୍ରମାଣ ରହିଛି। ସେଇ ସମୟରେ ମ୍ୟାନେଜର ଭାବେ ପୁନର୍ବାର ନିଯୁକ୍ତ ହୋଇଥାଆନ୍ତି ରାଜକିଶୋର ଦାସ। ଶ୍ରୀମନ୍ଦିରର ନାନାବିଧ ଉନ୍ନତି ଲାଗି ସେ ଉଦ୍ୟମ କରୁଥାଆନ୍ତି। ଏହି କ୍ରମରେ ଭଙ୍ଗା ଅଳଙ୍କାରକୁ ନେଇ କିଛି ନୂଆ ଅଳଙ୍କାର ତିଆରି କରିଥିଲେ। ସେହି ସମୟରେ ରତ୍ନଭଣ୍ଡାରର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ସୁରେନ୍ଦ୍ରନାଥ ଦାଶଙ୍କ ପୁସ୍ତକ ତଥ୍ୟ ମୁତାବକ, ୧୯୨୬ ମସିହାରେ ମୁକୁନ୍ଦଦେବଙ୍କ ଦେହାନ୍ତ ପରେ ରାମଚନ୍ଦ୍ର ଦେବ ନୂତନ ଭାବେ ରାଜପଦରେ ଅଭିଷିକ୍ତ ହୋଇଥିଲେ। ସେ ମନ୍ଦିରର ନୂତନ ଅଧୀକ୍ଷକ ରୂପେ ଦାୟିତ୍ୱ ବହନ କରିଥିଲେ। ରତ୍ନଭଣ୍ଡାରର ସମସ୍ତ ଦ୍ରବ୍ୟକୁ ପରୀକ୍ଷା ନିରୀକ୍ଷା କରି ତାଲିକା ସହିତ ମିଳାଇ ସ୍ୱାକ୍ଷର କରିଥିଲେ। ସାମାନ୍ୟ କିଛି ଅଳଙ୍କାରକୁ ଛାଡିଦେଲେ ବାକି ଅଳଙ୍କାର ସବୁ ଠିକ୍‌ ଥିବା ଜଣାପଡିଥିଲା। ପରବର୍ତୀ ସମୟରେ ୧୯୩୧ ମସିହାରେ ନବ କଳେବର ହେବାର ଥାଏ। ଏହାର ବର୍ଷକ ପୂର୍ବରୁ ୧୯୩୦ ମସିହାରେ ତକ୍ରାଳୀନ ଭଣ୍ଡାର ନାୟକଙ୍କ ଦେହାନ୍ତ ହେବାରୁ ଜଣେ ନାବାଳକ ସେହି ସେବାରେ ରହିଥିଲେ। ଏହା ଦେଖି ମ୍ୟାନେଜର ରାଜକିଶୋର ଦାସଙ୍କୁ ଅନ୍ତର କରାଗଲା।

ଭଣ୍ଡାର ନାୟକଙ୍କୁ ନୋଟିସ୍‌ ଦ୍ୱାରା ହୁକୁମ ଦେଇ ତାଙ୍କଠୁ ଚାବି ନିଆଯାଇଥିଲା। ୧୯୩୧ରେ ରାଜା ରାମଚନ୍ଦ୍ର ଦେବ ପୁଣି ରାଜକିଶୋର ଦାସଙ୍କୁ ମ୍ୟାନେଜର ଭାବେ ନିଯୁକ୍ତ କରିଥିଲେ। ତେଣୁ ସେଇ ସମୟରୁ ଭିତରଭଣ୍ଡାରର ଦୁଇଟି ଯାକ ତାଲାର ଚାବି ଅଧୀକ୍ଷକଙ୍କ ପାଖରେ ରହିଲା। ୧୯୨୬ ମସିହା ପରେ ରତ୍ନଭଣ୍ଡାରର ସାନି ଗଣତି କରାଯାଇ ନଥିଲା। ପରବର୍ତୀ କାଳରେ ରତ୍ନଭଣ୍ଡାରରୁ କିଛି ସୁନା ଅଳଙ୍କାର ବାହାରକୁ ଚାଲିଯିବାର ଖବର ପ୍ରଚାରିତ ହୋଇଥିଲା। ମାତ୍ର ତା’ର କୌଣସି ତଦନ୍ତ କରାଯାଇଥିବାର ରିପୋର୍ଟ ହାତରେ ଲାଗିନି।