ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ; ୧୦ ହଜାର କୁଇଣ୍ଟାଲ ଚାଉଳ ନଷ୍ଟ

ଆଉ ଭୋଗ ଲାଗିବନି ଅର୍ପଣ ଚାଉଳ...

ପୁରୀ,(ସାକ୍‌ସୀ ନ୍ୟୁଜ୍‌): ଆଉ ଭୋଗ ଲାଗିବନି ଅର୍ପଣ ଚାଉଳ । ନଷ୍ଟ ହୋଇଗଲାଣି ଅର୍ପଣ ଚାଉଳ । ଯାହା ବଳକା ଚାଉଳ ଅଛି ତାହା ଏନଜିଓ ସଂସ୍ଥାକୁ ଦିଆଯିବ । ଅତିଶ୍ରଦ୍ଧାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଚାଉଳ ପଠାଇଥିଲେ ଭକ୍ତ। ଗାଁ ଗାଁରେ ବୁଲୁଥିଲା ଅର୍ପଣ ରଥ। କିଛି ଚାଉଳ ଓ ଗୋଟିଏ ଗୁଆ ଅର୍ପଣ କରିଥିଲେ ଜଗନ୍ନାଥ ପ୍ରେମୀ। ହେଲେ ତାଙ୍କ ଦାନ ଚାଉଳକୁ ଏମିତି ହତାଦର କରାଯିବ, କେହି କଳ୍ପନା କରିନଥିବେ। ସୁଆର ମହାସୁଆର ନିଯୋଗ କହିଛି ଦାନ ଚାଉଳ ଆଉ ଠାକୁରଙ୍କ ଭୋଗ ଲାଗି ପାରିବ ନାହିଁ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ସାରାଓଡିଶାରୁ ସଂଗ୍ରହ ହୋଇଥିଲା ‘ଅର୍ପଣ ଚାଉଳ’। ୧୪ ହଜାର କୁଇଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ ହୋଇଥିଲା । ସେଥିରୁ ୪ ହଜାର କୁଇଣ୍ଟାଲ ଚାଉଳ ବ୍ୟବହାର ହୋଇଛି । ବଳକା ୧୦ ହଜାର କୁଇଣ୍ଟାଲ ଚାଉଳ ନଷ୍ଟ ହୋଇଯାଇଛି । ସେହି ଚାଉଳରେ ଆଉ ଭୋଗ ଲାଗି ହୋଇପାରବ ନାହିଁ । ସୁଆର ମହାସୁଆର ନିଯୋଗ ଏଭଳି କହିବା ପରେ ଭକ୍ତଙ୍କ ଭାବାବେଗକୁ ଶକ୍ତ ଆଘାତ ଲାଗିଛି। ଚାଉଳ ଆଉ ଭୋଗ ଉପଯୋଗୀ ନଥିବାରୁ କୌଣସି ଏନଜିଓ ସଂସ୍ଥାକୁ ଦେବାପାଇଁ ପ୍ରସ୍ତାବ ଦେଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ଗାଁ ଗାଁ ବୁଲି ଚାଉଳ ସଂଗ୍ରହ କରୁଥିଲା ଅର୍ପଣ ରଥ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତିର ସହ ଚାଉଳ ଓ ଗୁଆ ଅର୍ପଣ କରିଥିଲେ ରାଜ୍ୟବାସୀ। ସେତେବେଳେ ବିରୋଧୀ ଯେଉଁ ସନ୍ଦେହ ପ୍ରକାଶ କରିଥିଲେ ଆଜି ତାହା ସତ ହୋଇଛି। ଭକ୍ତଙ୍କ ଭାବାବେଗ ସହ ପୂର୍ବତନ ବିଜେଡି ସରକାର ଖେଳ ଖେଳିଥିବା କୁହାଯାଉଛି ।