ପରିତ୍ୟକ୍ତ ପ୍ରାୟ ଦଶାବତାର ପ୍ରତିମା!

ଅବହେଳିତ ଐତିହ୍ୟ। କୋଣଠେସା ପ୍ରସ୍ଥର କୀର୍ତି ….

ପୁରୀ: ଅବହେଳିତ ଐତିହ୍ୟ। କୋଣଠେସା ପ୍ରସ୍ଥର କୀର୍ତି। ବର୍ଷବର୍ଷ ହେବ ତଳେ ପଡିରହିଛି ଓଡିଆଙ୍କ ଭାବାବେଗ ସହ ଜଡିତ ଶ୍ରୀମନ୍ଦିର ସିଂହଦ୍ୱାରରେ ଶୋଭା ପାଉଥିବା ଦଶାବତାର ମୂର୍ତି। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଯେଉଁ ମୂର୍ତି ସବୁ ନିକଟରେ ପ୍ରଥମେ ଭକ୍ତ ମଥାନତ କରୁଥିଲେ ଏବେ ତାହା ଅଲୋଡା। ପ୍ରଶାସନିକ ଅବହେଳା କାରଣରୁ ସିଂହଦ୍ୱାର ନିକଟରେ ଜରାଜୀର୍ଣ୍ଣ ଅବସ୍ଥାରେ ଦଶାବତାର ମୂର୍ତି ପଡିରହିଛି। ସେପଟେ ଯେଉଁ ମୂର୍ତି ଯୋଗୁଁ ସିଂହଦ୍ୱାର ଗୁମୁଟ ଦିନେ ଝଟକୁଥିଲା ସେହି ମୂର୍ତି ଅଭାବରୁ ଗୁମୁଟ ଖାଲିଖାଲି ଦିଶୁଛି।

୨୦୧୨ ମସିହାରେ ସିଂହଦ୍ୱାର ଗୁମୁଟରୁ ଚୂନ ଛଡାଯିବା ସମୟରେ ଚୂନରେ ନିର୍ମିତ ଦଶ ଅବତାର ମୂର୍ତି କଢ଼ାଯାଇଥିଲା। ଏହା ପରେ ବୀର ହରେକୃଷ୍ଣପୁର ଗ୍ରାମର ଦକ୍ଷିଣସାହିରେ ଫଟୋ ଦିଆଯାଇ ମୂର୍ତି ନିର୍ମାଣ ପାଇଁ ବରାଦ ଦିଆଯାଇଥିଲା। ଅବିକଳ ପଥରରେ ଏହି ମୂର୍ତିମାନ ତିଆରି କରାଯାଇଥିଲେ ହେଁ ଏହା ଦୀର୍ଘ ବର୍ଷ ହେଲା ପଡି ରହିଛି। ଖରା, ବର୍ଷାରେ ଏହି ଦଶାବତାର ମୂର୍ତି ପଡି ରହିବାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିବା ବେଳେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଦଶାବତାର ମୂର୍ତୀକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ସମ୍ମାନର ସହ ରଖିବା ପାଇଁ ଦାବି ହୋଇଛି।

ତଥ୍ୟ ଅନୁସାରେ ପ୍ରାୟ ୧୫୦ ବର୍ଷ ତଳେ ସିଂହଦ୍ୱାରକୁ ଶଙ୍କରାଚାର୍ଯ୍ୟ ନିର୍ମାଣ କରିଥିଲେ। ପରବର୍ତୀ ସମୟରେ ମହାରାଜାମାନେ ସିଂହଦ୍ୱାର ଗୁମୁଟରେ ଦଶାବତାର ମୂର୍ତି ସ୍ଥାପନ କରିଥିଲେ। ଏଥିରେ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ଜଗନ୍ନାଥ ଓ କଳ୍କୀ ସ୍ଥାନିତ ଥିଲେ। ତେବେ ନବମ ଅବତାରକୁ ନେଇ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଛି। ନୂଆ ମୂର୍ତିର ନବମ ସ୍ଥାନରେ ବୁଦ୍ଧ ରହିବେ ନା ଜଗନ୍ନାଥ ଏହା ନିଷ୍ପତି ହୋଇପାରୁନି।