ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି

ପୁରୀ,(ସାକ୍‌ସୀ ନ୍ୟୁଜ୍‌): ସରି ସରି ଆସୁଛି ବଡଦାଣ୍ଡରେ ଶ୍ରୀଜିଉଙ୍କ ଲୀଳାଖେଳା। ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି। ସନ୍ଧ୍ୟା ବେଳେ ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା। ଏଥିପାଇଁ ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ କରାଯାଇଥାଏ। ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀରେ ପ୍ରସ୍ତୁତ ୯ଟି ଅଧର ହାଣ୍ଡିକୁ ରଥରେ ଥିବା ପାର୍ଶ୍ବ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ତୃପ୍ତି ଉଦ୍ଦେଶ୍ୟରେ ଭଙ୍ଗାଯାଇଥାଏ।

ଆଜି ରାତି ୮ଟାରେ ଅଧରପଣା ନୀତି ଶେଷ ହେବ। ଏହା ପରେ ରାତି ୯ଟାରେ ମହାସ୍ନାନ ଓ ପରେ ରାତି ୧୦ଟାରେ ମଇଲମ ଓ ବେଶ ହେବ। ରାତି ସାଢ଼େ ୧୦ଟାରେ ସଂଧ୍ୟା ଆଳତି ହୋଇ ଅନ୍ୟାନ୍ୟ ନୀତିକାନ୍ତି କରାଯିବ। ଅଧରପଣା ନୀତିକାନ୍ତି ଠିକ୍ ଭାବେ ତୁଲାଇବାକୁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଗତକାଲି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତିନି ଦିଅଁଙ୍କ ଦିବ୍ୟ ଦୁର୍ଲଭ ସୁନାବେଶ ଦର୍ଶନ କରିଥିବା ବେଳେ, ଆଜି ମଧ୍ୟ ଶ୍ରୀଜିଉଙ୍କ ଅଧରପଣା ନୀତି ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି। ଆସନ୍ତାକାଲି ହେବ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ।

ସେପଟେ ବୁଧବାର ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଥିଲା ପୁରୀ ବଡ଼ଦାଣ୍ଡ। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ସୁବର୍ଣ୍ଣ କିରିଟି। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ୟ୍ୟ, ବେକରେ ଘାଗଡ଼ା, ବାହାଡ଼ା, ସେବତୀ, କଦମ୍ବ ଓ ବାଘନଖି ଭଳି ଗହଣା ଗାଣ୍ଠିରେ ବିଭୁଷିତ ହୋଇଥିଲେ ଶ୍ରୀଜିଉ। ବ୍ରହ୍ମାଣ୍ଡ ଠାକୁରଙ୍କ ଶ୍ରୀଅଙ୍ଗରେ ଏମିତି ୧୩୮ ପ୍ରକାରର ରତ୍ନ ଖଚିତ ଅଳଙ୍କାର ଲାଗି ହୋଇଥିଲା। ଏହା ସାଙ୍ଗକୁ ତିନି ଦିଅଁ ସ୍ୱତନ୍ତ୍ର ଆୟୁଧ ଏବଂ ସ୍ୱତନ୍ତ୍ର ଆଭୂଷଣରେ ସଜେଇ ହୋଇଥିଲେ । ବିଶ୍ୱ ନିୟନ୍ତାଙ୍କ ଏହି ବେଶ ଦର୍ଶନ କରିଛନ୍ତି ୧୨ଲକ୍ଷ ଭକ୍ତ ।