ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୬ ଓ ୧୭ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପାଣିପାଗ କେନ୍ଦ୍ର ଅନୁଯାୟୀ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ର ଉପକୂଳ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟର ଗତି ଓଡ଼ିଶା ଅଭିମୁଖେ ରହିବ । ଫଳରେ ୧୫ରୁ ୧୭ ତାରିଖ ଯାଏ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହୁଛି । ୧୬ ଓ ୧୭ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ।