ରାକ୍ଷୀ ପୂର୍ଣ୍ଣିମା ପରମ୍ପରା

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଶ୍ରାବଣପୂର୍ଣ୍ଣିମାର ଗୋଟିଏ ନାମ ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ପରମ୍ପରା ଅନୁସାରେ, ଏହିଦିନ ଭଉଣୀ, ଭାଇ ହାତରେ ରାଖି ବାନ୍ଧି ଅତୁଟ ସ୍ନେହ ଓ ସୁରକ୍ଷା କାମନା କରିଥାଏ ।

ରକ୍ଷାବନ୍ଧନ ପାଳନ ଓ ଏହି ପରମ୍ପରା କେବେଠାରୁ ପ୍ରଚଳିତ ହୋଇଆସୁଛି ଆସନ୍ତୁ ଜାଣିବା….
ପୌରାଣିକ କଥାରେ ପୂର୍ବରୁ ଅସୁର ଓ ଦେବତାଙ୍କ ମଧ୍ୟରେ କ୍ଷମତା ପାଇଁ ଯୁଦ୍ଧ ଲାଗି ରହୁଥିଲା । ଥରେ, ଯୁଦ୍ଧରେ ଦେବରାଜ ଇନ୍ଦ୍ର ଅସୁରଙ୍କଠାରୁ ହାରିଲେ ଏବଂ ଦେବଗୁରୁ ବୃହସ୍ପତିଙ୍କ ନିକଟକୁ ଯାଇ ତାଙ୍କର ଦୁଃଖ ଜଣାଇଲେ । ସେ ଦିନଟି ଥିଲା ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ । ତେଣୁ ଗୁୁରୁ ବୃହସ୍ପତି, ପରଦିନ ପ୍ରତ୍ୟୁଷରେ ବିଧି ସହକାରେ ମନ୍ତ୍ରପାଠ କରି ତାଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଲେ । ଇନ୍ଦ୍ରାଣୀ ମଧ୍ୟ ସେହିଦିନ ତାଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଥିଲେ । ତାହା ପରେ, ଅସୁରଙ୍କ ସହିତ ଯୁଦ୍ଧରେ ଇନ୍ଦ୍ର ବିଜୟୀ ହେଲେ ।
ଏହା ସୂଚାଏ, ଗୁରୁ ବା ବ୍ରାହ୍ମଣ ଏବଂ ସ୍ତ୍ରୀ ଏହି ରକ୍ଷାସୂତ୍ର ବାନ୍ଧିବା ଥିଲା ପୁରାଣସମର୍ଥିତ ଓ ବିଧିସମ୍ମତ । କିନ୍ତୁ ପରବର୍ତୀ କାଳରେ, ଅର୍ଥାତ ମଧ୍ୟଯୁଗର ମୁସଲମାନ ଆକ୍ରମଣ ସମୟରେ ରାଜପୁତ ରମଣୀମାନେ ପୁରୁଷଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିବାର ଧାରା ଆରମ୍ଭ ହେଲା । ସମୟକ୍ରମେ ଏହା ଭଉଣୀ ଭାଇ ହାତରେ ରାଖି ବାନ୍ଧିବାର ପରମ୍ପରାରେ ପରିଣତ ହୋଇଛି ।

ରକ୍ଷାସୂତ୍ର ବନ୍ଧନପାଇଁ ଯେଉଁ ମନ୍ତ୍ରଟି ପ୍ରଚଳିତ ଅଛି, ସେଥିରେ କୁହାଯାଇଛି- ‘‘ଯେନ ବଦ୍ଧୋ ବଳୀରାଜା ଦାନବେନ୍ଦ୍ରୋ ମହାସୁରଃ । ତେନ ତ୍ୱାମପି ବଧ୍ନାମି ରକ୍ଷ ମାଚର ମାଚଳ।।’’ ପଣ୍ଡିତ ସଦାଶିବ ରଥଶର୍ମା ଗୋଟିଏ ଲେଖାରେ ଏ ସଂପର୍କରେ କହିଛନ୍ତି- ‘‘ପୂର୍ବେ ମନର ସବଳତା ସୂତା ଖଣ୍ଡକରେ ମିଳୁଥିଲା । ଈଶ୍ୱର-ସମର୍ପଣ-ଭାବରେ ସନ୍ତୋଷ ଦ୍ୱାରା ସୁସ୍ଥତା ଆସୁଥିଲା । ଭଗବାନ ବିଷ୍ଣୁ ବଳି ପରି ପରାକ୍ରମୀ, ଦାନବୀର ଦାନବକୁ ବଦ୍ଧ କରିଥିଲେ; ଅର୍ଥାତ୍ ମାରିବାକୁ ଯାଇ, ମୃତ୍ୟୁ ମୁଖରେ ତାକୁ ପାତାଳପୁରୀରେ ରକ୍ଷା କରିଥିଲେ । ଅର୍ଥାତ୍ ମଙ୍ଗଳମୟ ଭଗବାନଙ୍କର ମାରିବା ଅର୍ଥ, ରକ୍ଷା ମଧ୍ୟ କରିବା । ଏଥିନିମନ୍ତେ ବ୍ରାହ୍ମଣଙ୍କ ଦ୍ୱାରା କ୍ଷତ୍ରିୟ ଆଦି ବର୍ଣ୍ଣମାନେ ରକ୍ଷାସୂତ୍ର ବନ୍ଧାଇ ଥାଆନ୍ତି ।’’
ଉଲ୍ଲେଖନୀୟ ଯେ, ଶ୍ରୀମନ୍ଦିରରେ ମଧ୍ୟ ଏହି ମହାନ ପବିତ୍ର ଦିନରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଥାଏ । ପାଟରା ବିଶୋଇ ସେବକଙ୍କ ଦ୍ୱାରା ପ୍ରସ୍ତୁତ ରକ୍ଷାସୂତ୍ର ବା ପାଟରାଖି ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଭୁଜରେ ବନ୍ଧାହୁଏ ।