ରାୟଗଡା: ଗୁଡ଼ାରୀ ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଗୁଡ଼ାରୀ ICDS ତରଫରୁ ବୁଧବାର ଦିନ ବ୍ଲକ ସଦଭାବନା ଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଚିସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିଷେଧ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ନୋଡାଲ ଅଧିକାରୀ ଭାବେ ଗୁଣୁପୁର ଉପଖଣ୍ଡ ସ୍ତରୀୟ ପ୍ରୋଗ୍ରାମ ଅଧିକାରୀ କଳ୍ପନା ମାହାଙ୍କୁଡ ଯୋଗ ଦେଇ ବାଲ୍ୟ ବିବାହକୁ କିଭଳି ସମ୍ପୂର୍ଣ ରୂପେ ନିଷେଧ କରାଯାଇପାରିବ,ଏହି ଦିଗରେ ଥିବା ସମସ୍ୟା ଓ ଏହାର ସମାଧାନ ବିଷୟରେ ଆଲୋକପାତ କରିଥିଲେ । ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ରାୟଗଡାରୁ ପ୍ରମୋଦ କୁମାର ନାୟକ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା କଣ କଣ ପଦକ୍ଷେପ ନିଆଯାଉଛି ସେହି ବିଷୟରେ ଉପସ୍ଥିତ ସଦସ୍ୟାଙ୍କୁ ବୁଝାଇଥିଲେ ।
ସମ୍ମାନିତ ଅତିଥି ଭାବେ ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ, IIC ସମର୍ପିତା ସ୍ୱାଇଁ ଉକ୍ତ କର୍ମଶାଳା ରେ ଯୋଗଦେଇ ବାଲ୍ୟବିବାହକୁ ସମାଜରୁ ମୂଳୋତ୍ପାଟନ କରିବା ପାଇଁ ଆବଶ୍ୟକ ସଚେତନତା କରାଯିବା ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ଅପରାଧୀଙ୍କୁ ଉଚିତ ଦଣ୍ଡ ବିଧାନ କରିବା ନିମନ୍ତେ ନିଜ ବକ୍ତବ୍ୟରେ କହିଥିଲେ ।
ଶିଶୁ ବିକାଶ ଅଧିକାରୀ ତଥା CDPO ଅନୀତା ପାଣିଗ୍ରାହୀ କାର୍ଯ୍ୟକ୍ରମର ଆବାହକ ଭାବେ ଉକ୍ତ କର୍ମଶାଳାର ଉଦ୍ଦେଶ୍ୟ ଏବଂ ଏହାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଗୁଡ଼ାରୀର ବିଭିନ୍ନ ଶିକ୍ଷାନୁଷ୍ଠାନର ମେଟ୍ରୋନ, ୱାର୍ଡେନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଶା କର୍ମୀ ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଟୀର ସଦସ୍ୟା, ଟେଣ୍ଟ ହାଉସ ମାଲିକ, ସାମ୍ବାଦିକ ବନ୍ଧୁ, ଜାତି ସମାଜ ମୁଖ୍ୟ ଉପସ୍ଥିତ ଥିଲେ ।
କର୍ମଶାଳାଟିକୁ ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ସୁନୀଲ ମିଶ୍ର ପରିଚାଳନା କରିଥିବା ବେଳେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ମଣ୍ଡଳ ପରିଦର୍ଶିକା, ସମସ୍ତ କର୍ମଚାରୀ, ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ । ଶେଷରେ CDPO ଅନୀତା ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଚେତନତା କର୍ମଶାଳାଟିକୁ ସମାପ୍ତ କରିଥିଲେ ।