ସିଜିମାଳି ଖଣି ଅଂଚଳରେ ଗ୍ରାମବାସୀ-ପୁଲିସ୍ ଖଣ୍ଡଯୁଦ୍ଧ
ରାୟଗଡ଼ା ଜିଲ୍ଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ….
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଂଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣକୁ ବିରୋଧ କରି କାଶୀପୁର ବ୍ଲକର ଶାଗବାରୀ ଗ୍ରାମରେ ପୁଲିସ ଉପରେ ହମ୍ଲା କରିଛନ୍ତି ବାସିନ୍ଦା। ପୁଲିସ ଓ ଜନତାଙ୍କ ଭିତରେ ଖଣ୍ଡଯୁଦ୍ଧ ଚାଲିିଥିଲା। ଉଭୟ ପୁଲିସ ଓ ଗ୍ରାମବାସୀ ଖଣ୍ଡିଆଖାବରା ହୋଇଛନ୍ତି। ଏସ୍ପି, ଏସ୍ଡିପିଓ, ଆଇଆଇସି ସମେତ କିଛି ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।
ସୂଚନାରୁ ଜଣାପଡିଛି, ରାସ୍ତାକାମକୁ ବିରୋଧ କରି କିଛି ଦିନ ହେବ ଅଶାନ୍ତି ଲାଗି ରହିଥିଲା। ବେଦାନ୍ତ କମ୍ପାନୀ ପକ୍ଷରୁ ଏହି ରାସ୍ତା ନିର୍ମାଣ କରାଯାଉଥିବା ସିଜିମାଳି ପାହାଡ଼ ଚତୁଃପାର୍ଶ୍ୱରେ ବସବାସ କରୁଥିବା ପରିବାର ଅଭିଯୋଗ କରୁଛନ୍ତି। ଏହାକୁ କେନ୍ଦ୍ର କରି ଆନ୍ଦୋଳନ ଜାରି ରହିଛି।ଶାଗବାରୀ ଗ୍ରାମରେ ପୁଲିସ ଆନ୍ଦୋଳନକାରୀଙ୍କ ସହିତ ଆପୋଷ ଆଲୋଚନା କରୁଥିବା ସମୟରେ କିଛି ଲୋକ ପୁଲିସ ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ କରାଯାଇଛି। ଆନ୍ଦୋଳନକାରୀଙ୍କ ହମ୍ଲାରେ ରାୟଗଡା ଅତିରିକ୍ତ ଏସ୍ପି ଅମୂଲ୍ୟ ଧର, ରାୟଗଡ଼ା ଏସ୍ଡିପିଓ ଗୌରହରି ସାହୁ, କାଶୀପୁର ଆଇଆଇସି ଦେବଦତ ମଲିକ, ଏସ୍ଆଇ ସାରାଣୀ ତିର୍କୀଙ୍କ ସମେତ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ମୋଟ ୫୮ ଜଣ ପୋଲିସ ଆହତ ହୋଇଥିବା ଏସ୍ପି ସ୍ୱାଥି ଏସ୍. କୁମାର ସୂଚନା ଦେଇଛନ୍ତି।
ସେମାନଙ୍କ ମଧ୍ୟରୁ ୭ ଜଣ ପୁଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଅନ୍ୟ ଆହତ ପୋଲିସ କର୍ମଚାରୀମାନେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଦୋରାଗୁଡା ସ୍ଥିତ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାଗବାରି ଅଂଚଳରେ ପ୍ରଶାସନ ପକ୍ଷରୁ ବିଏନ୍ଏସ୍ ୧୬୩ ଧାରା ଜାରି କରାଯାଇଛି। ରାସ୍ତା ନିର୍ମାଣକୁ ନେଇ ଉତେଜନାପୂର୍ଣ୍ଣ ବାତାବରଣ ରହିଥିବାରୁ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି, ଡିଆଇଜି କନୱର ବିଶାଳ ସିଂ, ଏସ୍ପି ସ୍ୱାଥୀ ଏସ୍ କୁମାର ଓ ପୋଲିସର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଦାରଖ କରୁଥିବା ବେଳେ ମଙ୍ଗଳବାର ଭୋର ସମୟରେ ଏଭଳି ଘଟଣା ଘଟିଥିଲା।
ପ୍ରକାଶ ଥାଉକି, ଏପ୍ରିଲ ୩ ତାରିଖରେ ଉପଜିଲାପାଳଙ୍କ ଆଦେଶ ଅନୁଯାୟୀ ଭାରତୀୟ ନାଗରିକ ସଂହିତା ଧାରା ୧୬୩ ତଥା ଭାରତୀୟ ଦଣ୍ଡବିଧି ନିୟମର ଧାରା ୧୪୪ ଅନୁଯାୟୀ ନିଷେଧାଜ୍ଞା ଜାରି କରାଯାଇଛି। ରାସ୍ତାଠାରୁ ୧୦୦ ମିଟର ଦୂରତା ମଧ୍ୟରେ ୪ ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ ବୋଲି ଏକ ମାସ ପର୍ଯ୍ୟନ୍ତ ନିଷେଧାଜ୍ଞା ଜାରି ହୋଇଛି। ଏହାକୁ ରାଜ୍ୟ ପୋଲିସ ଗୁରୁତର ଭାବେ ଗ୍ରହଣ କରିଥିବା ଜଣାପଡିଛି। ଆକ୍ରମଣକାରୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଡିଜି ସଞ୍ଜୟ କୁମାର କହିଛନ୍ତି।
ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ ପଠାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି। ଅନ୍ୟପଟେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏଥିରେ ଅନେକ ଗ୍ରାମବାସୀ ଆହତ ହୋଇଥିବା ନେଇ ସୂଚନା ମିଳିଛି। ମଙ୍ଗଳବାର ଭୋର ପାହାନ୍ତିଆରେ ପୋଲିସ ପକ୍ଷରୁ ବ୍ଲାଙ୍କ ଫାୟାରିଂ ପରେ ଏହିଭଳି ତୁମୁଳକାଣ୍ଡ ଘଟିଥିବା ଏବଂ ଅଂଚଳବାସୀ ନିଜର ଆତ୍ମରକ୍ଷା କରିବା ପାଇଁ ଆକ୍ରମଣାତ୍ମକ ହୋଇଥିବା ଶୁଣିବାକୁ ମିଳୁଛି। ପୋଲିସର ପାଲଟା ଆକ୍ରମଣରେ ଅନେକ ଗ୍ରାମବାସୀ ମଧ୍ୟ ଆହତ ହୋଇଛନ୍ତି। ଏଥିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଆହତ ହୋଇଛନ୍ତି।
ଆହତ ହୋଇଥିବା ଅଂଚଳବାସୀଙ୍କ ମଧ୍ୟରେ ଅନୀ ମାଝୀ, ନାରିଙ୍ଗ ଦେଇ ମାଝୀ, ଲାଲି ମାଝ. କୁମୁଟି ମାଝୀ, ବାମଣି ମାଝୀ, ବୁରସା ମାଝୀ, ନିଙ୍ଗି ମାଝି, ଅଗାଧୁ ନାଏକ ଏବଂ ରାମଚନ୍ଦ୍ର ନାଏକଙ୍କ ସମେତ ଅନେକ ଅଂଚଳବାସୀ ଆହତ ହୋଇଥିବା ସମାଜସେବୀ ପ୍ରଫୁଲ ସାମନ୍ତରା ସୂଚନା ଦେଇଛନ୍ତି। ତେବେ ଏନେଇ ଏସ୍ପି ସ୍ୱାଥି ଏସ୍. କୁମାର ସୂଚନା ଦେଇ କହିଛନ୍ତି ଯେ, ସୁବାସ ସିଂ ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ କଂଟାମାଳ ଯାଇଥିଲେ। ହେଲେ ପ୍ରାୟ ୨୫୦ ଲୋକେ ମାରଣାସ୍ତ୍ର ଧରି ପୋଲିସକୁ ଘେରି ଆକ୍ରମଣ କରିବା ସହିତ ପଥର ମାଡ଼ କରିଥିଲେ। ଫଳରେ ପୋଲିସ କର୍ମୀ ଆହତ ହୋଇଥିଲେ। ଆହତ ପୋଲିସଙ୍କୁ ମେଡ଼ିକାଲ ନେବା ସହିତ ଟିୟର ଗ୍ୟାସ ଛାଡ଼ିବା ପରେ ଲୋକମାନେ ପଳାୟନ କରିଥିଲେ।
ଏହି ଘଟଣା ବିଷୟରେ ସମାଜସେବୀ ପ୍ରଫୁଲ ସାମନ୍ତରା କହିଛନ୍ତି ଯେ, ସୁବାସ ସିଂ ଜଣେ ଆତଙ୍କବାଦୀ ନୁହନ୍ତି ଯେ, ପୁଲିସ ତାଙ୍କୁ ଏହିଭଳି ରାତି ଅଧିଆ ଗିରଫ କରିବାକୁ ଯାଇଥିଲା। ଏହାକୁ ସେ ଦୃଢ଼ ନିନ୍ଦା କରିଛନ୍ତି। ପୁଲିସ ପ୍ରଶାସନ କମ୍ପାନୀମାନଙ୍କ ନିକଟରେ ବିକ୍ରି ହୋଇଯାଇଛି ବୋଲି ପ୍ରଫୁଲ ସାମନ୍ତରା ଅଭିଯୋଗ କରିଛନ୍ତି। ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ କମ୍ପାନୀ ପାଇଁ ପୋଲିସ ଓ ପ୍ରଶାସନ ଏହିଭଳି ଅମାନୁଷିକ କାଣ୍ଡ ଘଟାଇବା ଅତି ନିନ୍ଦନୀୟ ବୋଲି ସେ କହିଛନ୍ତି।