ରିଲାଏନ୍ସ ଗ୍ରୀଡ଼କୋକୁ ୪ହଜାର ୨୩୪ କୋଟି ଟଙ୍କାର କ୍ଷତିପୂରଣ ଦେବ

କଟକ,(ସାକ୍‌ସୀ ନ୍ୟୁଜ୍‌): ରିଲାଏନ୍ସ କମ୍ପାନୀ ଗ୍ରୀଡ଼କୋକୁ ଦେବ ୪ହଜାର ୨୩୪ କୋଟି ଟଙ୍କାର କ୍ଷତିପୂରଣ । ବହୁ ଦିନ ଧରି ଅଦାଲତରେ ଚାଲିଥିବା ମାମଲାରେ ପୂର୍ଣ୍ଣଛେଦ ପଡ଼ିଛି । ରାଜ୍ୟରେ ବିଦ୍ୟୁତ ବିତରଣ ଘରୋଇକରଣ ହେବା ପରେ ୧୯୯୯ରୁ ଏହି ଦାୟିତ୍ୱ ନେଇଥିଲା ରିଲାଏନ୍ସ-ଇନଫ୍ରା । ଉଦ୍ଦେଶ୍ୟ ଥିଲା ଗ୍ରାହକଙ୍କୁ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇବା । ହେଲେ ରିଲାଏନ୍ସ କମ୍ପାନୀ ରାଜ୍ୟବାସୀଙ୍କୁ ଏସବୁ ଯୋଗାଇବାରେ ବିଫଳ ହୋଇଥିଲା । ଗ୍ରୀଡ଼କୋ ଅଧିନରେ ସାଉଥକୋ, ୱେସ୍କୋ ଓ ନେସ୍କୋ ତିନୋଟି ବିତରଣ କମ୍ପାନୀ ରିଲାଏନ୍ସ କମ୍ପାନୀ ଚଲାଉଥିଲା । ରିଲାଏନ୍ସ ହାତରେ ୫୧ ପ୍ରତିଶତ ଅଂଶଧନ ଥିବା ବେଳେ ଗ୍ରୀଡ଼କୋ ପାଖରେ ୪୯ ପ୍ରତିଶତ ସେୟାର ଥିଲା । କିନ୍ତୁ ରିଲାଏନ୍ସ ଚୁକ୍ତିନାମାକୁ ଉଲ୍ଲଙ୍ଘନ ବି କରିଥିଲା । ଯେଉଁଥିପାଇଁ ରିଲାଏନ୍ସ-ଇନଫ୍ରାର ତିନୋଟି ଲାଇସେନ୍ସକୁ ୨୦୧୫ରେ ରଦ୍ଦ କରିଥିଲେ ଓଇଆରସି ।

ଦୀର୍ଘବର୍ଷ ଧରି ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା ରିଲାଏନ୍ସ କମ୍ପାନୀର ମନମାନୀ ଯୋଗୁଁ ଗ୍ରୀଡ଼କୋ ଅନେକ କ୍ଷତି ସହିଥିଲା । ଚୁକ୍ତିନାମାର ଖିଲାପ କରିଥିବାରୁ କ୍ଷତିପୂରଣ ରାଶି ବାବଦକୁ ରିଲାଏନ୍ସ ଠାରୁ ୪ ହଜାର ୨୩୪ କୋଟି ଟଙ୍କା କ୍ଲେମ କରିଥିଲା ଗ୍ରୀଡ଼କୋ । ଓଇଆରସି ମଧ୍ୟ ଏହା ସପକ୍ଷରେ ରାୟ ଦେଇଥିଲେ । ହେଲେ ରିଲାଏନ୍ସ ଏହା ବିରୋଧରେ ଜାତୀୟ ବିଦ୍ୟୁତ ନିୟାମକ ଆୟୋଗ ଏବଂ ସୁପ୍ରିମ କୋର୍ଟକୁ ବି ଯାଇଥିଲା । ହେଲେ ଉଭୟ ଜାଗାରେ ରିଲାଏନ୍ସର ଯୁକ୍ତି କାଟ ଖାଇବା ସହ ଓଇଆରସିର ରାୟ କାଏମ ରହିଥିଲା । ଏବେ ଏହି ମାମଲାର ଚୁଡ଼ାନ୍ତ ଶୁଣାଣୀ କରି ଗ୍ରୀଡ଼କୋକୁ ରିଲାଏନ୍ସ ୪୨୩୪କୋଟି ୮ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗ୍ରୀଡ଼କୋର ଓକିଲ ପ୍ରଦୀପ୍ତ ମହାନ୍ତି ସୂଚନା ଦେଇଛନ୍ତି ।