କଶ୍ମୀରରେ ସୁରକ୍ଷିତ ନୁହନ୍ତି ଅବସରପ୍ରାପ୍ତ ପୁଲିସ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଲିସ ଚାକିରିରୁ ଅବସର ଗ୍ରହଣ କରିଥିବା ଲୋକଙ୍କ ଜୀବନ ପ୍ରତି ମହାବିପଦ ସୃଷ୍ଟି ହୋଇଛି । କଶ୍ମୀରରେ ସକ୍ରିୟ ଆତଙ୍କୀ ଦଳଙ୍କ ଦୃଷ୍ଟି ଏବେ ସେଇମାନଙ୍କ ଉପରେ ପଡ଼ିଛି । ଗୁରୁବାର ଦିନ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ବାରମୂଳାର ଗୋଟିଏ ମସଜିଦରେ ନମାଜ ପାଠ କରୁଥିବା ସମୟରେ ଏକାଧିକ ଆତଙ୍କୀଙ୍କ ଅତର୍କିତ ହମଲାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ନାମ ମହମ୍ମଦ ସାଫି ।

ଗୁଳିମାଡ଼ରେ ଗୁରୁତର ଆହତ ସାଫିଙ୍କୁ ଅନ୍ୟ ଲୋକମାନେ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ତାଙ୍କୁ ବଂଚାଇବା ସମ୍ଭବ ହୋଇ ନଥିଲା । ଖବର ପାଇ ସୁରକ୍ଷାକର୍ମୀମାନେ ସଂପୃକ୍ତ ଅଂଚଳକୁ ଘେରାଉ କରିଛନ୍ତି ।