ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନିର୍ମାଣାଧୀନ ବିଧାୟକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ ଅଗ୍ରଗତି ସମୀକ୍ଷା କରିଛନ୍ତି ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମ୍ପୂର୍ଣ୍ଣ ଅଂଚଳ ବୁଲି ଦେଖିବା ସହ ବାକିଥିବା କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ବରିଷ୍ଠ ଅଧିକାରୀ ଏବଂ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।
୬ ଟାୱାର ବିଶିଷ୍ଟ ଆବାସିକ କମ୍ପ୍ଲେକ୍ସରେ ମୋଟ ୩୦୦ଟି ଫ୍ଲାଟ ରହିଛି। ସେଥିମଧ୍ୟରୁ ୧୦୫ଟି ଟାଇପ୍ ୭ ଫ୍ଲାଟ୍ ରହିଥିବା ବେଳେ ୧୯୫ଟି ଟାଇପ୍ ୬ ଫ୍ଲାଟ୍ ରହିଛି।କମ୍ପ୍ଲେକ୍ସରେ ୧୩୦ ଜଣ ବିଧାୟକ ଏବଂ ୧୭୦ ଜଣ ବରିଷ୍ଠ ଅଧିକାରୀ ରହିବା ଭଳି ବ୍ୟବସ୍ଥା ରହିବ। ଏଥି ସହିତ ପରିସରରେ ସ୍ୱରେଜ ଟ୍ରିଟ୍ମେଂଟ୍ ପ୍ଲାଂଟ୍ ଏବଂ ଭୂତଳ ଜଳ ସଂରକ୍ଷଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ସହ ପରସରକୁ ସବୁଜ ବଳୟରେ ପରିଣତ କରିବା ପାଇଁ ବଡ ବଡ ଉପାଦେୟ ଗଛ ଲଗାଯିବ।
ସେହିଭଳି ଅତିଥିମାନଙ୍କ ପାଇଁ ୫୦ କୋଠରି ବିଶିଷ୍ଟ ଏକ କ୍ଲବ୍ ହାଉସ୍ ନିର୍ମାଣ ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ବିଧାୟକ ବାବୁ ସିଂ, ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଓବିସିସି ପରିଚାଳନା ନିର୍ଦ୍ଦେଶକ ଅନୁପମ୍ ସାହାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ମୁଖ୍ୟଯନ୍ତ୍ରୀ ଏବଂ ଠିକାସଂସ୍ଥାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।