କଳିଙ୍ଗ ଷ୍ଟାଡିୟମ୍‌ ବିକାଶ ଲାଗି ୧୨କୋଟି

ଭୁବନେଶ୍ୱର (ଏସ ନ୍ୟୁଜ): କଳିଙ୍ଗ ଷ୍ଟାଡିୟମ୍‌ ବିକାଶ ପାଇଁ ଖର୍ଚ୍ଚ ହେବ ୧୨.୦୨ କୋଟି ଟଙ୍କା । ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ବିକାଶ ପାଇଁ ୧୨ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ସହ ଆସନ୍ତା ୪ ବର୍ଷ ମଧ୍ୟରେ ଷ୍ଟାଡିୟମ୍‌ ବିକାଶର ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି।

‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସମେତ ୮ଟି ରାଜ୍ୟର ଗୋଟିଏ ଗୋଟିଏ କ୍ରୀଡ଼ା କେନ୍ଦ୍ରକୁ ବିକଶିତ କରାଯିବ। ରାଜ୍ୟଗୁଡ଼ିକ ମଧ୍ୟରେ ମିଜୋରାମ, ତେଲଙ୍ଗାନା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଓ କେରଳ ରହିଛି ବୋଲି କିରେନ ରିଜିଜୁ ସୂଚନା ଦେଇଛନ୍ତି ।

ତେବେ ଓଡିଶା କ୍ରୀଡ଼ାକେନ୍ଦ୍ରକୁ ବିକଶିତ କରିବା ଲାଗି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ମନୋନୀତ କରାଯାଇଛି। ଭିତ୍ତିଭୂମିର ବିକାଶ, କ୍ରୀଡ଼ାବିଜ୍ଞାନ କେନ୍ଦ୍ର ସ୍ଥାପନ, ଉତ୍କୃଷ୍ଟମାନର ପ୍ରଶିକ୍ଷକ ନିଯୁକ୍ତି, କ୍ରୀଡ଼ା ବିଜ୍ଞାନ ମାନବସମ୍ବଳ ନିଯୁକ୍ତି ଆଦି ପାଇଁ ଏହି ଅର୍ଥ ବିନିଯୋଗ କରାଯିବ। କ୍ରୀଡାବିତ୍‌ମାନଙ୍କୁ ଉନ୍ନତମାନର ଉପକରଣ ମଧ୍ୟ ଯୋଗାଇ ଦିଆଯିବ।

ଏଠାରେ ସୂଚନା ଥାଉକି, ‘ଖେଲୋ ଇଣ୍ଡିଆ’ ମାଧ୍ୟମରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ରେ କ୍ରୀଡ଼ା ଭିତ୍ତିଭୂମି ର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଉଛି। ଆଉ ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟରେ କ୍ରୀଡ଼ାର ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ପ୍ରତ୍ୟେକ ଉତ୍କର୍ଷ ମାଧ୍ୟମରେ ୧୪ଟି ଅଲିମ୍ପିକ୍‌ କ୍ରୀଡା ପାଇଁ ଅଭ୍ୟାସ ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।
ତେବେ୨୦୨୮ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍‌ କ୍ରୀଡ଼ାରେ ଭାରତ ଯେପରି ପଦକ ତାଲିକାରେ ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ରହେ, ସେହି ଲକ୍ଷ୍ୟ ରଖି ଏହି ଉଦ୍ୟମ ଆରମ୍ଭ ହୋଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କହିଛନ୍ତି ।