ନବରଙ୍ଗପୁର: ଦୀର୍ଘ ୧୦ ବର୍ଷ ପରେ ନବରଙ୍ଗପୁର-ଜୟପୁର ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ନିଅଁ ପଡିଛି। ଜିଲ୍ଲା ଇତିହାସରେ ୨୦୨୬ ମାର୍ଚ୍ଚ ୧୭ ତାରିଖ ଦିନ ସ୍ୱର୍ଣ୍ଣକ୍ଷରରେ ଲିପିବଦ୍ଧ ହୋଇଛି। ଏହି ପ୍ରକଳ୍ପ ପାଇଁ ୬.୩୯୩ ଏକର ଜମି ହରାଇଥିବା ବ୍ୟକ୍ତିଙ୍କୁ ମୋଟ ୨୪ କୋଟି ୫୭ ଲକ୍ଷ ୬୮ ହଜାର ୮୧୩ ଟଙ୍କାର ଅର୍ଥରାଶି ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଛି। ଆଉ ୨ ଜଣ ହିତାଧିକାରୀଙ୍କ ବଳକା ୦.୫୮୮ ଏକର ଜମିର ଅଧିଗ୍ରହଣ ପ୍ରକ୍ରିୟାରେ ଅଛି। ସ୍ଥାନୀୟ ନବରଙ୍ଗପୁର ତହସିଲଦାରଙ୍କ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଦିନ ଭୂମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଇଂ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜମି ହରାଇଥିବା ୮ଜଣଙ୍କୁ ଚେକ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ତହସିଲଦାର ଭୁଲେଶ୍ୱର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ପ୍ରକଳ୍ପ ନିମନ୍ତେ ପ୍ରକଳ୍ପ ପାଇଁ ନନ୍ଦାହାଣ୍ଡି ତହସିଲର ଡାଇଭଟା ମୌଜାରୁ ୧୪.୬୬୬ ଏକର, ନୂଆଗୁଡାରୁ ୪୦.୧୯୦ ଏକର, ସିନ୍ଧିଗୁଡାର ୧୭.୮୭୬ ଏକର, ଗାଧବାଗୁଡାର ୩୫.୮୧୫ ଏକର, ନବରଙ୍ଗପୁର ତହସିଲର କେଶରୀଗୁଡାର ୩୦.୧୧୫ ଏକର ଓ ନବରଙ୍ଗପୁର ମୌଜାରୁ ୬.୯୮୧ ଏକର ଏଭଳି ୧୪୫.୬୪୩ ଏକର ରେଳଲାଇନ୍ ପାଇଁ ଜମି ଗ୍ରହଣ କରାଯିବ।
ନବରଙ୍ଗପୁର ତହସିଲର କେଶରିଗୁଡ଼ା ମୌଜାରେ ୩୦.୧୫୫ ଏକର ଜମିର କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ବିଚାରାଧିନ ଅଛି। ସରକାରଙ୍କ ପରବର୍ତୀ ନିର୍ଦ୍ଦେଶ କ୍ରମେ ଜମି ଅଧିଗ୍ରହଣ କାମ ଆରମ୍ଭ ହେବ ବୋଲି କହିଛନ୍ତି ତହସିଲଦାର ଶ୍ରୀ ଭୋଇ।
ପ୍ରସ୍ତାବିତ ଜୁନାଗଡ-ନବରଙ୍ଗପୁର, ନବରଙ୍ଗପୁର-ଜୟପୁର ଏବଂ ମାଲକାନଗିରି-ଭଦ୍ରାଚଳମ ମୋଟ ୪୬୦ କିମି ସ୍ୱାଧୀନ ଭାରତର ଦ୍ୱିତୀୟ ବୃହତମ ରେଳପଥ ପ୍ରକଳ୍ପ ଅଟେ ଏବଂ ଏହା ୨୦୨୯-୩୦ ସୁଦ୍ଧା ସମ୍ପୂର୍ଣ୍ଣ ହେଲେ ନବରଙ୍ଗପୁର ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ବଡ ସହାୟକ ହେବ ବୋଲି ସାଂସଦ କହିଥିଲେ।
ଜିଲ୍ଲାପାଳ ସଭାପତିତ୍ୱ କରି ଜମି ଅଧିଗ୍ରହଣରେ ନିଜ ପୈତୃକ ଜମି ହରାଇଥିବା ବ୍ୟକ୍ତିଙ୍କୁ ଜିଲ୍ଲାର ପ୍ରଗତିରେ ନିଜର ଯୋଗଦାନକୁ ଜିଲ୍ଲାବାସୀ ସବୁଦିନ ମନେ ରଖିବେ ବୋଲି କହିଥିଲେ। ସରକାରଙ୍କ କ୍ଷତି ପୂରଣ ଆର୍ଥିକ ସହାୟତା ରାଶିରେ ସନ୍ତୁଷ୍ଟ ନ ହେଲେ ଉଚ୍ଚ କର୍ତୃପକ୍ଷ ଠାରେ ଆବେଦନ କରିପାରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜମି ହରାଇଥିବା ବ୍ୟକ୍ତି, ସରକାରୀ ଆଇନଜୀବୀ ଝାଡେଶ୍ୱର ଖାଡ଼ଙ୍ଗା, ସନ୍ତୋଷ ପାତ୍ର, ସଂଜୟ ପାତ୍ର, ପ୍ରଦୀପ ସାହୁ, ଜ୍ୟୋତି ରଞ୍ଜନ କଂସ, ଭୁବନେଶ୍ୱର ସୁର, ସରୋଜ ପାତ୍ର, ଡିଆଇପିଆର୍ଓ ମନୋଜ ବେହେରା, ବିଡିଓ ସୁନିଲ ଖରା ଓ ସୁପରଭାଇଜର, ଆରଆଇ ଓ ତହସିଲର କର୍ମଚାରୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।