ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ ସମ୍ବଲପୁର ଜିଲ୍ଲାର ପର୍ଯ୍ୟଟନ ବିକାଶ କେବଳ ଘୋଷଣାରେ ସୀମିତ ରହିଯାଉଛି। ସମ୍ବଲପୁରକୁ ଅବହେଳା କରାଯାଉଛି।
ଏହି ମର୍ମରେ ରୋହିତ କହିଛନ୍ତି ଯେ ବିଗତ ସାଧାରଣ ନିର୍ବାଚନ ସମୟରେ ବିଜୁ ଜନତା ଦଳ ସହିତ ବିଜେପି ମଧ୍ୟ ନିଜର ନିର୍ବାଚନୀ ପ୍ରତିଶ୍ରୁତିରେ ସମ୍ବଲପୁରଠାରେ ମହାନଦୀ ରିଭର୍ ଫ୍ରନ୍ଟ ବିକାଶ କରାଯିବାର କଥା ଉଲ୍ଲେଖ କରିଥିଲେ ଏବଂ ପରବର୍ତୀ ସମୟରେ ସରକାର ଆସିବା ପରେ ସରକାର ବିଭିନ୍ନ ସମୟରେ ମହାନଦୀ ରିଭର୍ ଫ୍ରନ୍ଟ ବିକାଶ କରାଯିବାର କଥା କହିଛନ୍ତି।
ଶନିବାର ଲୋକସେବା ଭବନ ଭୁବନେଶ୍ୱର ଠାରେ ଆୟୋଜିତ ମହାନଦୀ ରିଭର୍ ଫ୍ରନ୍ଟ ପ୍ରକଳ୍ପର ସମୀକ୍ଷା ବୈଠକରେ କେବଳ କଟକସ୍ଥିତ ମହାନଦୀ ରିଭର ଫ୍ରନ୍ଟ ପ୍ରକଳ୍ପର ସମୀକ୍ଷା କରାଯାଇଥିବା ବେଳେ ପ୍ରତିଶ୍ରୁତି ଏବଂ ଘୋଷଣା ସତ୍ୱେ ସମ୍ବଲପୁର ମହାନଦୀ ଠାରେ ହେବାକୁ ଥିବା ପ୍ରକଳ୍ପର କଥା ଭୁଲିଯିବା ସମ୍ବଲପୁର ବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରୋହିତ। ୨୦୨୫ରୁ ଏହି ପ୍ରକଳ୍ପ ଘୋଷଣା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ କିମ୍ବା କୌଣସି କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇନାହିଁ। ସମ୍ବଲପୁର ବାସୀଙ୍କୁ ଯଦି ସରକାର୍ ଭାବୁଛନ୍ତି କେବଳ ଘୋଷଣା କରି ଖୁସି କରାଯାଇପାରିବ ତେବେ ଏହା ତାଙ୍କର ଐତିହାସିକ ଭୁଲ ହେବ।
ରୋହିତ୍ ରେଢ଼ାଖୋଲ ବିଧାୟକ ଥିବା ସମୟରେ ୨୦୧୫ ମସିହାରୁ ରେଢ଼ାଖୋଲ ଠାରେ ଏକ ସୁନ୍ଦର ଇକୋ ପାର୍କର ପରିକଳ୍ପନା କରି ବ୍ୟକ୍ତିଗତ ଭାବରେ ବହୁ ଚେଷ୍ଟା କରି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ରେଢ଼ାଖୋଲ ବିଜ୍ଞାପିତ ପରିଷଦ ଅଂଚଳରେ ୯ ଏକର ୪୦ ଡିସିମିଲ ପରିମିତ ଏବଂ ୨ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨୦୨୩ ମସିହା ଜାନୁୟାରୀ ମାସରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ବହୁ ପ୍ରତିକ୍ଷିତ ଏବଂ ଅତ୍ୟନ୍ତ ସୁନ୍ଦର ଇକୋ ପାର୍କର ଲୋକାର୍ପଣ କରାଯାଇଥିଲା। ଯେଉଁ ପାର୍କ କି ପଶ୍ଚିମ ଓଡ଼ିଶାର ଏକ ନମ୍ବର ପାର୍କ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ସେଠାରେ ଜନସାଧାରଣ ଙ୍କ ଚିତବିନୋଦନ, ବୁଲିବା ପାଇଁ ବହୁ ପ୍ରକାର ସୁବିଧା ଏବଂ ସୌନ୍ଦର୍ଯିକରଣ କରାଯାଇଥିଲା।ଏହା ସହ ପରବର୍ତୀ ସମୟରେ ସେଠାରେ ଇକୋ କଟେଜ ନିର୍ମାଣ କରି ଇକୋ ରେସର୍ଟ ରେ ପରିଣତ କରିବାର ପରିକଳ୍ପନା କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ।
କିନ୍ତୁ ପରିତାପର ବିଷୟ ଏହା ଯେ ନୂଆ ବିଜେପି ଶାସିତ ସରକାର ଆସିବା ପରେ ସେହି ପାର୍କ ରକ୍ଷଣା ବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପରିଣତ ହୋଇସାରିଲାଣି, ଯାହାକି ଅତ୍ୟନ୍ତ ଚିନ୍ତାର ବିଷୟ। ଯଦି ସରକାରଙ୍କ ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପ୍ରତି ଆନ୍ତରିକତା ଥାଆନ୍ତା ତେବେ ଏଭଳି ଏକ ସୁନ୍ଦର ପ୍ରତିକ୍ଷିତ ଇକୋ ପାର୍କର ଅବସ୍ଥା ଏତେ ଜରାଜୀର୍ଣ୍ଣ ନଥାନ୍ତା। ଅନୁରୂପ ଭାବେ ବିଗତ ବିଜେଡି ସରକାର ସମୟରେ ରେଢ଼ାଖୋଲ ଠାରେ ଟାଉନ ହଲ୍ ଲୋକାର୍ପିତ ହୋଇସାରିଥିଲେ ମଧ୍ୟ ଏବଂ ଯାଯାବର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ, ଏହା ଛଡ଼ା ରେଢ଼ାଖୋଲର ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ପୁନର୍ବାର ବ୍ୟୟ ଅଟକଳ ଅନୁମୋଦିତ ହୋଇଥିବାବେଳେ ବିଜେପି ସରକାର ଆସିବାର ବିଗତ ଦୁଇ ବର୍ଷ ହେବାକୁ ଯାଉଥିବା ବେଳେ ପୂର୍ବୋକ୍ତ ପ୍ରକଳ୍ପ ଗୁଡ଼ିକ ଲୋକାର୍ପିତ ହୋଇପାରୁନାହିଁ କିମ୍ବା ଜନସାଧାରଣଙ୍କ ବ୍ୟବହାରରେ ଆସିପାରୁନାହିଁ।
ଏହାର ଉଚିତ୍ ଜବାବ୍ ବିଜେପି ଦଳକୁ ଆଗାମୀ ନିର୍ବାଚନ ଗୁଡିକରେ ରେଢ଼ାଖୋଲ ବାସୀ ଦେବେ ବୋଲି ଇଂ ପୂଜାରୀ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।
ଯଦି ଏହିଭଳି ଭାବରେ ସରକାର ଯଦି ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ପ୍ରତି ଖାମଖିଆଲି ମନୋଭାବ ରଖିବେ ତେବେ ଆଗାମୀ ଦିନରେ ଜନସାଧାରଣ ଏହାର ଉଚିତ୍ ଜବାବ୍ ଦେବାକୁ ପଛାଇବେ ନାହିଁ। ଏହା ସହ କିଭଳି ଭାବରେ ଯଥାଶୀଘ୍ର ସମ୍ବଲପୁର ଠାରେ ମହାନଦୀ ରିଭର ଫ୍ରନ୍ଟ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ। ରେଢ଼ାଖୋଲ ସ୍ଥିତ ଇକୋ ପାର୍କର ପୁନଃ ସୌନ୍ଦର୍ଯିକରଣ କରାଯାଇ ଜନସାଧାରଣ ଏହାର ଲାଭ ଉଠାଇପାରିବେ ସେଥି ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଇଂ ପୂଜାରୀ ଦାବି କରିଛନ୍ତି।