ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ, ଡ୍ରାଇଭର ଗିରଫ

ପିକ୍‍ଅପ୍‍ ଭ୍ୟାନ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ….

ପିକ୍‍ଅପ୍‍ ଭ୍ୟାନ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ଏନେଇ ପାହାଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପିକ୍‍ଅପ୍‍ ଡ୍ରାଇଭରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜଗତସିଂହପୁର ବାଲିକୁଦାର ଚିକୁ ଦାସ(୨୫) । ତାଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗକାରୀ ସୁବ୍ରତ ନାୟକଙ୍କ ଲିଖିତ ଅଭିଯୋଗ ଆଧାରରେ ପହଳ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ଚାଳକ ଚିକୁ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମୃତ ସୁଶାନ୍ତ କୁମାର ନାୟକ ହେଉଛନ୍ତି ଅଭିଯୋଗକାରୀ ସୁବ୍ରତ ନାୟକଙ୍କ ବାପା। ସେ ଗତ ୨୦.୧୧.୨୦୨୫ ସକାଳ ପ୍ରାୟ ୬ଟା ସମୟରେ ନିଜ ଡ୍ୟୁଟି ସମ୍ପାଦନ କରି ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ଠିକ ଉକ୍ରଳ ହାଇଟ୍ସ ଫ୍ଲାଏଓଭର ନିକଟରେ ଅଭିଯୁକ୍ତ ଚାଳକ ଚିକୁ ଦାସ ଏକ ବୋଲେରୋ ପିକଅପ୍‍ ଭ୍ୟାନ୍‍ ଅତି ଦ୍ରୁତଗତିରେ ତଥା ବେପରୁଆ ଭାବେ ଚାଳନା କରିଆଣି ତାଙ୍କ ସ୍କୁଟିକୁ ପଛପାଖରୁ ଜୋର ସେ ଧକ୍କା ଦେଇଥିଲେ । ଫଳରେ ସେ ରାସ୍ତା ଉପରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ସ୍ଥିତ ଏସ୍‍.ସି.ବି. ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ପରବର୍ତ୍ତୀ ସମୟରେ ଉନ୍ନତ ଚିକିତ୍ସା ଲାଗି ତାଙ୍କୁ ସେଠାରୁ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୧.୧୧.୨୦୨୫ ସକାଳ ୧୧.୪୦ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ କେନ୍ଦ୍ରକରି କଟକ ମର୍କତନଗର ଥାନାରେ ଏକ ଅପମୃତ୍ୟୁମାମଲା ରୁଜୁ ହୋଇଥିଲା । ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତ ପିକଅପ୍‍ ଚାଳକ ଚିକୁ ଦାସଙ୍କୁ ଗିରଫ କରିଥିଲେ । ତଦନ୍ତ କାଳରେ ସେ ନିଜର ଅପରାଧ ସ୍ୱୀକାର କରିଥିଲେ । ମାମଲାର ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।