ଅଭିନେତା ଅଜିତ ଦାଶଙ୍କ ପରଲୋକ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଓଡ଼ିଆ ସିନେମାର ଜଣାଶୁଣା ଚେହେରା ବର୍ଷୀଆନ ଅଭିନେତା ଅଜିତ ଦାଶ ଆଉ ନାହାନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ୭୧ ବର୍ଷ ବୟସରେ ମୃତ୍ୟୁ ହୋଇଛି। କିଛି ଦିନ ପୂର୍ବେ ସେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ।

ଅଜିତ ଦାଶଙ୍କ ଧର୍ମପତ୍ନୀ ମାୟା ଦାଶ ସ୍ୱାମୀଙ୍କ ପରଲୋକ ହୋଇଥିବା ସ୍ପଷ୍ଟ କରିଛନ୍ତି। ବିଜୟ ମହାନ୍ତିଙ୍କ ପରେ ଏବେ ଅଜିତ ଦାଶ ଚାଲିଯିବା ଓଡ଼ିଶା ସିନେ ଇଣ୍ଡଷ୍ଟ୍ରିକୁ ବଡ଼ ଧକ୍କା ଦେଇଛି। ବହୁ ଅଭିନେତା, ନିର୍ଦ୍ଦେଶକ, ଟେକ୍ନିସିଆନ, ପ୍ରଯୋଜକ ଦୁଃଖରେ ମ୍ରିୟମାଣ ହୋଇଛନ୍ତି। ୬୦ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟର ଯାଦୁ ଦେଖାଇଥିବା ଶ୍ରୀ ଦାଶଙ୍କ ମୃତ୍ୟୁ ଅପୂରଣୀୟ କ୍ଷତି ଏବଂ ଏ ଶୂନ୍ୟସ୍ଥାନ କେବେ ଭରଣା ହେବନି ବୋଲି ବହୁ କଳକାର କହିଛନ୍ତି।

‘ସିନ୍ଦୁର ବିନ୍ଦୁ’ ଫିଲ୍ମରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଅଜିତ। ଖଳନାୟକ ଭୁମିକାରେ ସେ ପ୍ରଥମ କରି ରୁପେଲି ପରଦାକୁ ଓହ୍ଲାଇଥିଲେ। ପରେ ହାକିମ ବାବୁ, ମା’, ତୁଣ୍ଡ ବାଇଦ ଭଳି ବହୁ ହିଟ୍ ଓଡ଼ିଆ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ସିନେମା ସହ ବହୁ ନାଟକରେ ମଧ୍ୟ ନିଖୁଣ ଅଭିନୟ କରିଛନ୍ତି ଅଜିତ। ଏହାସହ ଅନେକର ସେ ନିଜେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମା(ଏନଏସଡି)ରୁ ପାଠ ପଢ଼ିଥିବା ଅଜିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମଧ୍ୟ ଅଧ୍ୟାପନା ଦାୟିତ୍ୱ ତୁଲାଇଛନ୍ତି।