୯ ମାସ ପ୍ରତିକ୍ଷା ପରେ ଭାବର ଠାକୁରକୁ ଦର୍ଶନ କରୁଛି ଭକ୍ତ-shaksi news

ପୁରୀ ( ଏସ୍ ନ୍ୟୁଜ ): ଦୀର୍ଘ ୯ ମାସ ପରେ ସବୁ ଘଟିଲା ପ୍ରତୀକ୍ଷାର ଅନ୍ତ ଘଟାଇ ଖୋଲିଲା ଶ୍ରୀମନ୍ଦିର ।ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ । ପୁରୀବାସୀଙ୍କ ପାଇଁ ମନ୍ଦିର ଖୋଲାଯାଇଛି । ପ୍ରଥମ ତିନି ଦିନ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିବେ । ୨୫ ତାରିଖ ଯାଏଁ ପରିଚୟ ପତ୍ର ଦେଖାଇ ଯେକୌଣସି ଦ୍ୱାରରେ ଦର୍ଶନ କରିପାରିବେ ସେବାୟତ। ପରେ ୨୬ତାରିଖରୁ ୩୧ ଯାଏଁ ପୁରୀ ସହରବାସୀ ଜଗା ଦର୍ଶନ କରିପାରିବେ।ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି ।

ଏସଓପି ଅନୁସାରେ ସେବାୟତ ହୁଅନ୍ତୁ କି ପୁରୀ ବାସିନ୍ଦା, ସମସ୍ତଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଆସିବାକୁ କୁହାଯାଇଛି । ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ।

ସେହିଭଳି ୨୬ରୁ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଟୋକନ୍ ବ୍ୟବସ୍ଥା ହୋଇଛି । ପ୍ରତି ଓ୍ୱାର୍ଡ ବୁଲି ମ୍ୟୁନିସିପାଲିଟି ପକ୍ଷରୁ ପରିବାର ମୁଖ୍ୟଙ୍କ ନାଁରେ ଟୋକନ୍ ବଣ୍ଟା ଯିବ। କେଉଁ ଦିନ କେଉଁ ଓ୍ୱାର୍ଡବାସୀ କେତେବେଳେ ଦର୍ଶନ ସୁଯୋଗ ପାଇବେ ସେ ସମୟ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ଥିର କରି ସାରିଛି । ସେହି ନିର୍ଦ୍ଦିଷ୍ଟ ସମୟରେ ଓ୍ୱାର୍ଡର ଲୋକଙ୍କୁ ଆସିବାକୁ କୁହାଯାଇଛି । ଟୋକନ୍ ଦେଖାଇଲେ ପୁରୀବାସୀଙ୍କୁ ମାର୍କେଟ ଛକ ବ୍ୟାରିକେଡ୍ ପ୍ରବେଶ ପଥରେ ଅନୁମତି ମିଳିବ ଓ ପରେ ସେମାନଙ୍କୁ ଆଧାରକାର୍ଡ କିମ୍ବା ଭୋଟ ପରିଚୟପତ୍ର ଦେଖାଇବାକୁ ପଡିବ । ସକାଳ ସାଢ଼େ ସାତଟା ପରେ ଦର୍ଶନ ଆରମ୍ଭ ହେବାକୁ ଥିବା ବେଳେ ସମସ୍ତେ କେବଳ ସିଂହଦ୍ୱାର ବାଟେ ହିଁ ମନ୍ଦିରରେ ପ୍ରବେଶ କରି ପାରିବେ ।


ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ଦୀର୍ଘ ୯ ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିବାରୁ ଏହାକୁ ସ୍ୱାଗତ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଭକ୍ତ ଓ ଭଗବାନଙ୍କ ମିଳନ ହେଉଥିବାରୁ କୋଭିଡ ନିୟମ ମାନି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ସେ ସେଚତନତା ବାର୍ତ୍ତା ଦେଇଛନ୍ତି ।

ଅନ୍ୟପଟେ ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ କରାଯିବ । ତେବେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି।