ପରୀ ହତ୍ୟା ଘଟଣାର SIT ତଦନ୍ତ ପ୍ରକ୍ରିୟା ଆରମ୍ଭ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ):ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ଘଟଣାର SIT ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି। ଏନେଇ ବିଧାନସଭାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏ ସଂପର୍କିତ ବିଜ୍ଞପ୍ତିକୁ ଗୃହରେ ଉପସ୍ଥାପନ କଲେ ମନ୍ତ୍ରୀ ଶ୍ରୀ ଆରୁଖ।

ସୂଚନାରୁ ପ୍ରକାଶ, ୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ସୁରକ୍ଷା ବଳୟ ଅତିକ୍ରମ କରି ବିଧାନସଭା ସମ୍ମୁଖରେ ଦେହରେ ଡିଜେଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ଏହା ପରେ ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି ଦାବି କରିଥିଲା। ତା’ପର ଦିନ ଗୃହରେ ବିବୃତି ରଖି ‘ପରୀ’କୁ ହତ୍ୟା କରାଯାଇଥିବା ମାନିଥିଲେ ଗୃହରାଷ୍ଟ୍ରମନ୍ତ୍ରୀ। ତେଣୁ ଘଟଣାର କ୍ରାଇବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ବିଧାନସଭାରେ ହୋହଲ୍ଲା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଘଟଣାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅରୁଣ ସାହୁଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ବିଜେପି ଦାବି କରିଥିଲା। ଯାହାକୁ ନେଇ ଆଜି ମଧ୍ୟ ବିଧାନସଭାରେ ଉତ୍ତେଜନା ଲାଗି ରହିଥିଲା।

ଅନ୍ୟପଟେ ନୟାଗଡ ‘ପରୀ’ ହତ୍ୟା ମାମଲାର ତଦନ୍ତ ପାଇଁ ଗଠିତ ଏସଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ଅରୁଣଙ୍କ ନେତୃତ୍ୱରେ ଗଠିତ ଏସଆଇଟି ଟିମରେ ୫ ଅଫିସରଙ୍କୁ ସାମିଲ କରାଯାଇଛି । ଟିମରେ କ୍ରାଇମବ୍ରାଞ୍ଚ ଏସପି ଆର. କେ ଦୋରା ସାମିଲ ଅଛନ୍ତି । ଏହା ସହ ଟିମରେ ଏଏସପି ଆର ସି ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ସାମିଲ ଅଛନ୍ତି । ଏସଆଇଟି ଗଠନ ନେଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ସ୍ୱତନ୍ତ୍ର ସଚିବ ଚିଠି ଲେଖିଛନ୍ତି ।