ପରୀ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଇଛି ଏସ୍‌ଆଇଟି-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ବହୁ ଚର୍ଚ୍ଚିତ ନୟାଗଡ ଝିଅ ପରୀ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଇଛି ଏସ୍‌ଆଇଟି। ପରୀର ଗାଁ ଯଦୁପୁରରୁ ଏହି ତିନି ଜଣଙ୍କୁ ଉଠାଯାଇଛି। ସେମାନେ ହେଲେ- ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀ।

ତେବେ ପୋଲିସ ପୂର୍ବରୁ ସରୋଜଙ୍କୁ ଏସ୍‌ଆଇଟି‌ ୨ ଥର ଉଠାଇ ନେଇ ପଚରାଉଚରା କରିଥିବା ବେଳେ ଆଜି ପୁଣି ତାଙ୍କୁ ଉଠାଇଛି। ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ସୂଚନା ମିଳିଛି।

ଏଠାରେ ସୂଚନାଥାଉକି , ପୂର୍ବରୁ ପଚରାଉଚରା ସମୟରେ ଏସ୍‌ଆଇଟିକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସତ୍ତ୍ୱେ ତାଙ୍କୁ ଫସାଇ ଦେବାକୁ ଉଦ୍ୟମ କରାଯାଉଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଥିଲେ ସରୋଜ। ଦୋଷ ମୁଣ୍ଡେଇ ନେବାକୁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିଲେ ବୋଲି ମଧ୍ୟ ସେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ।

ଏପରିକି ଏହି ମାମଲାରେ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ପ୍ରାଥମିକ ରିପୋର୍ଟରେ ‘ପରୀ’କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଉଲ୍ଲେଖ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲା। ଏହି ରିପୋର୍ଟ ପ୍ରଘଟ ହେବାର ଦିନକ ପରେ ଏସ୍‌ଆଇଟି ମୁଖ୍ୟ ଆଇଜି ଅରୁଣ ବୋଥ୍ରାଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଥିଲେ ‘ପରୀ’ ପରିବାରର ପଡ଼ୋଶୀ ସରୋଜ ସେଠୀ ହିଁ ପରିର ପ୍ରକୃତ ହତ୍ୟାକାରୀ ।

ଏଠାରେ ପ୍ରକାଶ ଥାଉକି , ୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ତାକୁ ନ୍ୟାୟ ଦିଆଯାଇପାରି ନଥିଲା। ଓଲଟି ପୁଲିସ୍ ତା’ ବାପାମା’ଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଅଭିଯୁକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ଖାସ ଲୋକ ହୋଇଥିବାରୁ ପୁଲିସ୍ ତାକୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଥିଲେ ‘ପରୀ’ର ବାପାମା’। ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ସେମାନେ ଭୁବନେଶ୍ୱର ଆସି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଆଉ ଏହାକୁ ନେଇ ଉଭୟ ବିଧାନସଭା ବାହାରେ ଓ ଭିତରେ ତମ୍ୱି ତୋଫାନ୍ ହେବା‌ ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।