କରଞ୍ଜିଆ, (ଏସ୍ ନ୍ୟୁଜ୍): ପଚଂଭୂତରେ ଲୀନ ହୋଇଛନ୍ତି ସୀତାରାମ ମୁର୍ମୁ । ତାଙ୍କ ଗାଁ ମୁକ୍ତାଝରିରେ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶୁକ୍ରବାର ଦିନ କଟକ ମୁଣ୍ଡଳି ବ୍ରିଜ୍ ନିକଟରେ ବୋଟ୍ ବୁଡି ଘଟଣାରେ ନିଖୋଜ ଥିବା ସୀତରାମଙ୍କ ମୃତଦେହକୁ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ତାଙ୍କ ଗାଁ ମୟୂରଭଞ୍ଜର ମୁକ୍ତାଝରିକୁ ଅଣାଯାଇଥିଲା । ତେବେ ପ୍ରଶାସନ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ପରିବାର ଲୋକେ ଶବକୁ ଗ୍ରହଣ କରି ନଥିଲେ । ସୀତାରାମଙ୍କ ମୃତଦେହରେ ଜାତୀୟ ପତାକା ରଖାଯାଇ ନଥିବା ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଠିକ୍ ସମୟରେ ନପହଞ୍ଚି ତାଙ୍କୁ ଅସମ୍ମାନିତ କରିଥିବା ଭଳି ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ । ଏହା ସହିତ ତାଙ୍କୁ ସହିଦ ମାନ୍ୟତା ଦେବା ସହିତ ତାଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କ ଭରଣପୋଷଣ ପାଇଁ ଉଚିତ୍ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା ଦେବାକୁ ଦାବି କରି ମୃତଦେହକୁ ଗ୍ରହଣ କରି ନଥିଲେ ।