ସ୍ମାର୍ଟସିଟି ଭୁବନେଶ୍ୱରରେ ସ୍ମାର୍ଟ ବିଜୁଳି କାଟ

ଅଘୋଷିତ ବ୍ରାଣ୍ଡ ଆମ୍ବାସାଡାରଙ୍କୁ ଶହେ ସଲାମ…..

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱର । ୨୪ ଘଂଟିଆ ବିଜୁଳି ଯୋଗାଣ ପ୍ରତିଶ୍ରୁତି ଦିଆଯାଉଛି । ମାତ୍ର କେତେବେଳେ ବିଜୁଳି କେତେ ସମୟ ପାଇଁ କଟାଯାଉଛି; ତା’ର କୌଣସି ଖବର ଉପଭୋକ୍ତାଙ୍କ ପାଖରେ ନାହିଁ । ପଚାରିଲେ ଜବାବରେ ଶୁଣିବାକୁ ମିଳୁଛି; ସବୁ ବାୟାରେ ମାୟା । ରାଜ୍ୟ ସରକାରଙ୍କ ବିଜୁଳି ଯୋଗାଣ ବ୍ୟବସ୍ଥା ଟାଟା ପାୱାର ହାତକୁ ଯିବାପରେ ଅଘୋଷିତ ବିଜୁଳି କାଟ ଯୋଜନା ଟିକେ ଜୋର ହୋଇଯାଇଛି ।

ଜଣାଯାଉଛି ସତେ ଯେମିତି ବିଜୁଳି ଯୋଗାଣ ବ୍ୟବସ୍ଥାଟି ଟାଟା ପାୱାରର ପୈତୃକ ମାଲିକାନାରେ ରହିଛି । ଗ୍ରୀଡକୋ’ର ୫୧ ଭାଗ ମାଲିକାନା କିଣିବା ବାବଦକୁ ଟାଟା ପାୱାର ସରକାରଙ୍କୁ କେତେ କୋଟି ଟଙ୍କା ପଇଠ କରିଛି; ତା’ର ହିସାବ ନବୀନବାବୁଙ୍କୁ ଜଣା । ତେବେ ଏବେ ମଧ୍ୟ ୪୯ ଭାଗ ମାଲିକାନା ରାଜ୍ୟ ସରକାରଙ୍କ ମାଲିକାନାରେ ଅଛି ମାନେ ସାଢେ଼ ଚାରିକୋଟି ଲୋକଙ୍କ ସମାନ ଅଧିକାର ରହିଛି ।

ରାଜ୍ୟବାସୀଙ୍କୁ ନଜଣାଇ ବିଜୁଳି କାଟ କେତେଦୂର ଠିକ ତାହା ଆଗାମୀ ଦିନରେ ଟାଟା ପାୱାରକୁ ଜଣାଇ ଦିଆଯିବ ବୋଲି ଏନୟୁବିସି ନେତା ସୀତାରାମ ବେହେରା କହିଛନ୍ତି । ଏନ୍‌ୟୁବିସିର ରାଜ୍ୟବ୍ୟାପୀ ‘ଟାଟା ପାୱାର ଗୋ ବ୍ୟାକ୍‌’ ଅଭିଯାନରେ ପ୍ରାୟ ୨୦ ଲକ୍ଷ ଲୋକ ସାମିଲ ହେଲେଣି । ଏହି ଅଭିଯାନକୁ ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଚାଲୁ ରଖାଯିବ ବୋଲି ଏନ୍‌ୟୁବିସି କହିଛି । ଟାଟା ପାୱାର ପାଇଁ ଅଘୋଷିତ ବ୍ରାଣ୍ଡ ଆମ୍ବାସାଡର ଦାୟିତ୍ୱ ତୁଲାଉଥିବା ନବୀନ ପଟ୍ଟନାୟକଙ୍କୁ ଆଗାମୀ ନିର୍ବାଚନରେ ଉପଯୁକ୍ତ ଜବାବ ଦିଆଯିବ ।