ଧାମନଗର: ରାଜ୍ୟ ସରକାରଙ୍କ ଶକ୍ତି ପ୍ରୋତ୍ସାହନ ଓ ସୌର ଜଳଯୋଗାଣ ପ୍ରକଳ୍ପ ଯୋଜନା ଭଦ୍ରକ ଜିଲ୍ଲାରେ ଧାମନଗର ବ୍ଲକରେ କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଅନେକ ଦିନ ଧରି କିଛି ଅଂଚଳରେ ବିଶୁଦ୍ଧ ପାନୀୟ ଜଳ ଗ୍ରାମାଂଚଳର ଲୋକମାନଙ୍କୁ ଯୋଗାଇ ଦିଆଯାଇଥିଲା।
ଏହି ଯୋଜନା ସଫଳ ହେବା ପରେ ଧାମନଗର ବ୍ଲକ୍ରେ ଅନେକ ପଂଚାୟତରେ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା।
ଏବେ ଅଧିକାଂଶ ସ୍ଥାନରେ ଏହି ସବୁ ସୌରପ୍ରକଳ୍ପ ଅଚଳ ହୋଇପଡିଛି। ଯେଉଁଥିପାଇଁ ଏବେ ଖରା ଦିନରେ ଆରମ୍ଭ ହୋଇଛି ଜଳକଷ୍ଟ। ଲୋକେ ବିଶୁଦ୍ଧ ପାନୀୟଜଳ ପାଇବା ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ଗ୍ରାମାଂଚଳରେ ପାନୀୟ କଷ୍ଟ ଦୂର କରିବା ଲକ୍ଷ୍ୟ ନେଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ସୌର ପ୍ରକଳ୍ପଗୁଡ଼ିକ ଏତେ ଅଚଳ ହେବାରେ ଲାଗିଛି। ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିବା ମୋଟ ୧୮ଟି ପ୍ରକଳ୍ପ ମଧ୍ୟରୁ ୬ଟି ସୌର ଚାଳିତ ପ୍ରକଳ ଅଚଳ ହୋଇପଡ଼ିଛି। ଲୋକେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଯେଉଁ ପ୍ରକଳ୍ପ ଗୁଡ଼ିକ ଅଚଳ ହୋଇପଡିଛି। ସେଗୁଡିକୁ ଆଉ ମରାମତି କରାଯାଉନି।
ଏହି ସବୁ ଅଂଚଳରେ ଏବେ ପାନୀୟ ଜଳ ପାଇଁ ଲୋକେ ହିନସ୍ତା ହେଉଛନ୍ତି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧିକାରୀ ଯସ୍ମିନ୍ ଦାସଙ୍କ ସୂଚନା ଅନୁଯାୟୀ, ଧାମନଗର ବ୍ଲକରେ ମାତ୍ର ୧୮ଟି ପ୍ରକଳ୍ପ ରହିଛି। ମାତ୍ର ଅନ୍ୟ ପ୍ରକଳ୍ପ ସମ୍ପର୍କିତ ତଥ୍ୟ ବିଭାଗ ପାଖରେ ନାହିଁ। ପୂର୍ବରୁ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଏସବୁ ପ୍ରକଳ୍ପ ଦାୟିତ୍ୱରେ ଥିଲେ। ସେ ଦାୟିତ୍ୱ ହସ୍ତାନ୍ତର କରି ନଥିବାରୁ ଏସବୁ ପ୍ରକଳ୍ପ ସମ୍ପର୍କରେ କିଛି ତଥ୍ୟ ନଥିବା ଯନ୍ତ୍ରୀ କହିଛନ୍ତି।
ଓରେଜା କିମ୍ବା ପଂଚାୟତିରାଜ ବିଭାଗ ମଧ୍ୟରୁ କିଏ ଏହି ପ୍ରକଳ୍ପ ସ୍ଥାପନ କରିଛି, ତାହାର ସବିଶେଷ ତଥ୍ୟ କାହା ପାଖରେ ନାହିଁ ଓ ନିୟମ ଅନୁସାରେ ନିର୍ମାଣକାରୀ ସଂସ୍ଥା ୫ ବର୍ଷ ପର୍ଯ୍ୟନ୍ତ ସୌର ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ କରିବା କଥା। ସୌରଚାଳିତ ପାନୀୟ ଜଳପ୍ରକଳ୍ପ ପରିଚାଳନା ଦାୟିତ୍ୱ ଧାମନଗରରେ କେବଳ କାଗଜପତ୍ରରେ ସୀମିତ ରହିଛି। ଆନନ୍ଦପୁର ପଂଚାୟତ ନଡ଼ିଆବାର ଜେନାସାହି ପ୍ରକଳ୍ପଟି ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହି ପ୍ରକଳ୍ପ ସ୍ଥାପନର ମାତ୍ର ୫ ଦିନ ପରେ ଏହାର କଂଟ୍ରୋଲର ଖରାପ ହୋଇ ଯିବାରୁ ଏହା ଏକ ବର୍ଷେ ହେବ ଅଚଳ ହୋଇ ରହିଛି। ବିଭାଗୀୟ କର୍ତୃପକ୍ଷ ମରାମତି ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି।
ସେହିପରି ପାହାଡ଼ପୁର ସାହୁ ସାହି ପ୍ରକଳ୍ପର ସୋଲାର ପାନେଲ ଖରାପ ହୋଇ ପଡ଼ିଥିବାରୁ ମୋଟରକୁ ବିଦ୍ୟୁତ ସଂଯୋଗ ହୋଇପାରୁନି। ଅନ୍ୟ ୪ଟି ପ୍ରକଳ୍ପରେ ମୋଟର ଏବଂ କେପାସିଟର ଜଳିଯାଇଥିବାରୁ ଟାଙ୍କିକୁ ପାଣି ଆସୁନି। ଏହିଭଳି ଆହୁରି କିଛି ପ୍ରକଳ୍ପ ଅଚଳ ହୋଇ ରହିଛି।
ଯେଉଁ ପ୍ରକଳ୍ପ ଗୁଡିକରେ ପାଣି ଠିକ ଭାବରେ ବାହାରୁ କରୁନାହିଁ। ଏନ୍ୟ ପକ୍ଷରେ ପଂଚାୟତ ପକ୍ଷରୁ ଏହିସବୁ ପ୍ରକଳ୍ପ ପାଇଁ ଅପରେଟର ନିଯୁକ୍ତି କରିବା କଥା। ହେଲେ ସରପଂଚମାନେ ସହଯୋଗ କରୁ ନଥିବା ସ୍ଥାନୀୟ ଲୋକେ କହିଛନ୍ତି, ଯେଉଁଥି ପାଇଁ ପ୍ରକଳ୍ପ ପରିଚାଳନା ପାଇଁ ଅପରେଟର ନାହାନ୍ତି।
ଗୋଟିଏ ସୌର ପ୍ରକଳ୍ପ ପାଇଁ ପ୍ରାୟ ସାଢେ଼ ୪ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ପୂର୍ବରୁ ଥିବା ନଳକୂପ ଉପରେ ୫୦୦ ଲିଟର ବିଶିଷ୍ଟ ଟାଙ୍କି ସହ ସୋଲାର ମୋଟର ଲଗାଇ ୨ ସହ ଲୋକଙ୍କୁ ପାଣି ଯୋଗାଇବା ଯୋଜନା ଥିଲା।
ବିଦ୍ୟୁତ ବିଲ୍ ନଥିବା ଏବଂ ପରିବେଶ ଅନୁକୂଳ ଥିବାରୁ ଏହା ଏକ ଭଲ ଯୋଜନା ହୋଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ ଯୋଜନା ବିଫଳ ହୋଇଛି। ଏପଟେ ଅଧିକାରୀମାନେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି।ଏହି ପ୍ରକଳ୍ପଗୁଡ଼ିକ ତୁରନ୍ତ ମରାମତି କରା ନଗଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ। ସୌର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ଦିନରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରା ନଗଲେ ଲୋକେ ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି।