ୱେବ ପୋର୍ଟାଲ ନିମନ୍ତେ ଆସିବ ସ୍ବତନ୍ତ୍ର ଆଇନ

ଭୁବନେଶ୍ୱର: ସରକାରୀସ୍ତରରେ ବିଚାରବିମର୍ଷ ଆରମ୍ଭ ହୋଇଥିବାବେଳେ ୱେବ ପୋର୍ଟାଲ ନିମନ୍ତେ ଆସିବ ସ୍ବତନ୍ତ୍ର ଆଇନ। ୱେବ୍ ପୋର୍ଟାଲ, ୟୁଟ୍ୟୁବ୍ ଚ୍ୟାନେଲ ସ୍ଥାପନ ନିମନ୍ତେ ନିର୍ଦ୍ଦିଷ୍ଟ ନିୟମ ପ୍ରଣୟନ କରାଯିବ ଏବଂ ଏଥିରେ କାର୍ଯ୍ୟରତ ସାମ୍ବାଦିକ ବା ପ୍ରତିନିଧିମାନଙ୍କ ନିମନ୍ତେ ମାର୍ଗଦର୍ଶିକା ଜାରି ହେବ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ କେନ୍ଦ୍ର ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ୱେବ୍‌ ପୋର୍ଟାଲ ସାମ୍ବାଦିକମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଜାରି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ନିଜକୁ ୱେବ୍‌ ଚାନେଲ, ୟୁ ଟ୍ୟୁବ୍ ଚ୍ୟାନେଲ ପ୍ରତିନିଧି ଭାବରେ ପରିଚୟ ଦେଇ କିଛି ଖଳ ପ୍ରକୃତିର ବ୍ୟକ୍ତି ଯେପରି ବ୍ଲାକମେଲିଂ ଅସାମାଜିକ କାର୍ଯ୍ୟ କରୁଛନ୍ତି ତାହାକୁ ରୋକିବା ନିମନ୍ତେ କି ପଦ୍ଧତି ଅବଲମ୍ବନ କରାଯିବ ସେଥିନେଇ ଆଇନଗତ ତର୍ଜମା ଆରମ୍ଭ ହୋଇ ଯାଇଛି।

ଛତୁ ଫୁଟିଲା ପରି ରାଜ୍ୟରେ ୱେବ୍‌ ଚ୍ୟାନେଲ ସ୍ଥାପନ କରି କିଛି ଲୋକ ବ୍ଲାକମେଲିଂ କରିବା ପରି ଧନ୍ଦା ଆରମ୍ଭ କରିଛନ୍ତି । ଏହା ଉପରେ ନା କେନ୍ଦ୍ର ସରକାରଙ୍କର ନିୟନ୍ତ୍ରଣ ଅଛି ନା ରାଜ୍ୟ ସରକାରଙ୍କର । ଏଥିପାଇଁ କୌଣସି ପଞ୍ଜୀକରଣ ମଧ୍ୟ କରିବାକୁ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ଯେଉଁଥିପାଇଁ ୱେବ ଚ୍ୟାନେଲ, ୟୁଟ୍ୟୁବ୍ ଚ୍ୟାନେଲ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଚାଲିଛି ଏବଂ ଏହାକୁ ମାଧ୍ୟମ କରି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିଶାଣ ଉପରେ ନିଶାଣ କରାଯାଉଛି । ଯାହାକି ଗଣମାଧ୍ୟମର ଗାରିମାକୁ ନିମ୍ନଗାମୀ କରିବାରେ ଲାଗିଛି। ତେଣୁ ୱେବ୍‌ ଚାନେଲ ସ୍ଥାପନ ପାଇଁ ପଞ୍ଜୀକରଣ ସହ ଏହାକୁ ଶୃଙ୍ଖଳିତ କରିବାକୁ ଯୋଜନା କରାଯାଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁଯାଇ,ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି ଯେ ମୁଦ୍ରିତ, ବୈଦ୍ୟୁତିକ ଗଣମାଧ୍ୟମ ପରି ୱେବ୍‌ ଚ୍ୟାନେଲଗୁଡ଼ିକ ଦାୟିତ୍ଵପୂର୍ଣ୍ଣ ଭାବରେ ଖବର ପରିବେଷଣ କରିବା ଉଚିତ୍‌ । ମାତ୍ର ଏହାକୁ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଆଇନ ପ୍ରଣୟନ ହୋଇନାହିଁ । ଏହାର ସୁଯୋଗ ନେଇ କିଛି ଖଳ ପ୍ରକୃତିର ବ୍ୟକ୍ତି ୱେବ୍‌ ଚ୍ୟାନେଲଗୁଡ଼ିକର ଦୁରୂପଯୋଗ କରୁଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଚାରବିମର୍ଷ କରାଯାଉଛି। ୱେବ୍‌ ଚ୍ୟାନେଲଗୁଡ଼ିକୁ ଶୃଙ୍ଖଳିତ ଓ ଉତ୍ତରଦାୟୀ କରିବା ନିମନ୍ତେ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ମଙ୍ଗରାଜ ସୂଚନା ଦେଇଛନ୍ତି।