ଲୋକସେବା ଭବନ ଠାରେ ଅନୁଷ୍ଠିତ ରାଜ୍ୟ କ୍ଯାବିନେଟ ବୈଠକର ଅଧ୍ୟକ୍ଷତା କରିବା ସହ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର ପ୍ରଦାନ କରିଛି । ରାଜ୍ୟବାସୀଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ଵ ଦେଇ ଏହି ନିଷ୍ପତ୍ତି ଗୁଡିକ ଗ୍ରହଣ କରାଯାଇଛି ।
ରାଜ୍ଯରେ ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ କରିବା ନିମନ୍ତେ ପ୍ରତି ପଞ୍ଚାୟତରେ ଏକ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ମୋଟ ୧୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୪ଟି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି ।
ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ଵ ଦେଇ ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା ନିୟମାବଳୀ-୨୦୧୭ର ସଂଶୋଧନକୁ ମଞ୍ଜୁର ପ୍ରଦାନ କରାଯାଇଛି । ନିଯୁକ୍ତି ସ୍ତରକୁ ୭ ରୁ ହ୍ରାସ କରି ୬ରେ ସୀମିତ ରଖିବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଯୋଗାଇଦେବା ନିମନ୍ତେ ୫ ହଜାର ଡାକ୍ତର ସହ ୧୨୬ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି ।
କୃଷି କ୍ଷେତ୍ରରେ ଶୀତଳ ଭଣ୍ଡାରର ଯଥେଷ୍ଟ ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ଯରେ ନୂତନ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ଯୋଗାଇଦେବେ। ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ବିନିଯୋଗ ପୁଞ୍ଜିର ମୋଟ ୬୦% ଏବଂ ସାଧାରଣ ବର୍ଗଙ୍କ ପାଇଁ ୫୦% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ । ଶୀତଳଭଣ୍ଡାରକୁ ୫୦% ଯାଏ ବିଦ୍ୟୁତ୍ ଶୁଳ୍କ ରିହାତି ପ୍ରଦାନ ସହ ଦେଢ଼କୋଟି ଟଙ୍କା ପର୍ଯ୍ୟନ୍ତ ସ୍ବତନ୍ତ୍ର ରିହାତି ଯୋଗାଇଦିଆଯିବ ।
ନିବେଶ କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ RIR କମ୍ପାନିକୁ ରାଜ୍ଯରେ ନିବେଶ ପାଇଁ ସୁଯୋଗ ପ୍ରଦାନ କରାଯିବ, ଯାହାକି ଦେଶରେ ପ୍ରଥମ । ଏହି କମ୍ପାନୀକୁ ଇନ୍ସେନଟିଭ ବାବଦରେ ପୂର୍ବରୁ ସ୍ଥିରୀକୃତ ୩୦%କୁ ବୃଦ୍ଧି କରାଯାଇ ମୋଟ ୫୦% ପ୍ରଦାନ କରାଯିବ । ଏଥିସହ ୧୧୦ କୋଟିର ପ୍ରୋତ୍ସାହନ ରାଶି ଦ୍ଵାରା ରାଜ୍ଯର ନିବେଶ କ୍ଷେତ୍ର ଆହୁରି ସୁଦୃଢ ଏବଂ ସମୃଦ୍ଧ ହେବ ।
ଆସନ୍ତା ଫେବୃଆରୀ ମାସରେ ଷୋଡ଼ଶ ଅର୍ଥ କମିଶନ ଓଡ଼ିଶା ଆସିବାର ଯୋଜନା ରହିଛି । ସରକାର କମିଶନଙ୍କ ନିକଟରେ ୧୨,୫୬,୧୪୮ କୋଟି ଦାବି କରିବା ସହ ଏହି ଅର୍ଥ ରାଶିକୁ ୨୦୨୬ରୁ ୨୦୩୧ ମଧ୍ୟରେ ଖର୍ଚ୍ଚ କରିବା ପାଇଁ ଯୋଜନା କରିଛନ୍ତି ।
ଏହି ନିଷ୍ପତ୍ତି ଗୁଡିକ ରାଜ୍ଯର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପୁଞ୍ଜି ନିବେଶ ଭଳି କ୍ଷେତ୍ରର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବ । ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ ସହ ଓଡ଼ିଶାର ସାମାଜିକ, ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ ।