ଭୁବନେଶ୍ୱର, ତା.୨୪/୧୨: ରାଜ୍ୟ ସରକାର ପଛୁଆ ବର୍ଗ ବିରୋଧୀ । ଯୋଜନାବଦ୍ଧ ଭାବେ ଜାଣିଶୁଣି ସଂଖ୍ୟାଧିକ ଜାତିବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି ରାଜ୍ୟ ସରକାର । ଆଗାମୀ ପଂଚାୟତ ନିର୍ବାଚନରେ ପଛୁଆ ବର୍ଗ ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କ ହୀନ ଚକ୍ରାନ୍ତ ଆଜି ପଦାରେ ପଡିଛି । ରାଜ୍ୟବାସିଙ୍କୁ ବିଭ୍ରାନ୍ତ କରିବା ପାଇଁ ଶାସକ ବିଜେଡି ତରଫରୁ ବାରମ୍ବାର ଭ୍ରମାତ୍ମକ ବୟାନବାଜୀ କରାଯାଉଛି । ପଛୁଆ ବର୍ଗକୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଇ ନିଜ ଦଳରେ ସଂରକ୍ଷଣ ଦେବୁ ବୋଲି କହି ଶାସକ ବିଜେଡି କଟା ଘା ରେ ଚୂନ ମାରୁଛି । ୫୨ ପ୍ରତିଶତ ବିଶିଷ୍ଟ ପଛୁଆ ବର୍ଗକୁ ପଂଚାୟତ ନିର୍ବାଚନରେ ବଂଚିତ କରାଇବାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ରାଜ୍ୟ ସରକାରଙ୍କୁ ୧୧ଟି ପ୍ରଶ୍ନ କରିଛନ୍ତି ।
୧. ବହୁ ପୂର୍ବରୁ ମାନ୍ୟବର ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ପାଇଁ ‘ଟ୍ରିପଲ ଟେଷ୍ଟ’ ସଂପର୍କରେ ଉଲ୍ଲେଖ କରିଥିବାବେଳେ ରାଜ୍ୟ ସରକାର ଟେଷ୍ଟରେ ଫେଲ ହେଲେ କାହିଁକି ?
୨. ରାଜ୍ୟରେ ଦୀର୍ଘ ଦିନ ଧରି ଓବିସି କମିଶନ ପଦବୀ କାହିଁକି ଖାଲି ପଡି ରହିଥିଲା ?
୩. ବିଳମ୍ବରେ ଗଠିତ କମିଶନକୁ ଉପଯୁକ୍ତ କ୍ଷମତା ଆଜି ପର୍ଯ୍ୟନ୍ତ କାହିଁକି ଦିଆଯାଇନାହିଁ ?
୪. ଗତ ୨ ବର୍ଷ ଭିତରେ ରାଜ୍ୟ ଓବିସି କମିଶନ କଣ କଣ କାର୍ଯ୍ୟ କରିଛନ୍ତି ଏବଂ କେଉଁ କେଉଁ ଜାତିବର୍ଗ ପଛୁଆ ବର୍ଗରେ ଅନ୍ତର୍ଭୁକ୍ତ ହେବେ, ତାହା ସ୍ଥିରକୃତ କାହିଁକି ହୋଇପାରିନାହିଁ ?
୫. ଚଳିତ ବର୍ଷ ମାର୍ଚ୍ଚ ମାସରେ ମହାରାଷ୍ଟ୍ର ରାଜ୍ୟରେ ଓବିସି ସଂରକ୍ଷଣ ସଂପର୍କିତ ମକଦ୍ଦମାରେ ଜାତି ଜନଗଣନା ଓ ସଂରକ୍ଷଣରେ ଆନୁପାତିକ ପ୍ରତିଶତ ନିର୍ଦ୍ଧାରଣ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଓଡିଶା ସରକାର ତଦାନୁଯାୟୀ ପ୍ରସ୍ତୁତ ହେଲେ ନାହିଁ କାହିଁକି?
୬. ପୈାର ନିର୍ବାଚନ ସଂରକ୍ଷଣରେ ଅନିୟମିତତା ଦର୍ଶାଇ ଉଚ୍ଚ ନ୍ୟାୟାଳୟ ବିଜ୍ଞପ୍ତିକୁ ବାତିଲ କରିବା ପରେ ଗୋଟିଏ ଏସ୍ଏଲ୍ପି ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା କି ? ଯଦି ରଥଯାତ୍ରା ବନ୍ଦ କରିବା ପାଇଁ ହରିଶ ସାଲଭେ ଓ ପରୀ ହତ୍ୟାକାଣ୍ଡ ମକଦ୍ଦମାରେ କପିଲ ସିବଲ ଭଳି ବରିଷ୍ଠ ଓକିଲଙ୍କୁ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ନିୟୋଜିତ କରାଇ ପାରିଲେ, ତେବେ ୫୨ ପ୍ରତିଶତ ଓବିସିଙ୍କ ସ୍ୱାର୍ଥ ରକ୍ଷା ପାଇଁ କେଉଁ ଓକିଲକୁ ନିଯୁକ୍ତ କଲେ ରାଜ୍ୟ ସରକାର ? ଏବଂ ଉପରୋକ୍ତ ମକଦ୍ଦମାର ସ୍ଥିତି ସଂପର୍କରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଅବଗତ କରୁନାହାନ୍ତି କାହିଁକି ?
୭. ସଂରକ୍ଷଣ ସୀମା ୫୦ ପ୍ରତିଶତ ନିର୍ଦ୍ଧାରଣ କରିବା ସମୟରେ ଉଚ୍ଚତମ ନ୍ୟାୟାଳୟ ସମସ୍ତ ରାଜ୍ୟମାନଙ୍କର ମତାମତ ଲୋଡିଥିବାବେଳେ ଓଡିଶା ସରକାର ନିଜ ପକ୍ଷ ରଖି ନଥିଲେ କାହିଁକି ? ଏବଂ ଇନ୍ଦ୍ରା ସାହାଣୀ ମକଦ୍ଦମାରେ ସ୍ୱତନ୍ତ୍ର ପରିସ୍ଥିତି ଥିବା ରାଜ୍ୟ ପାଇଁ ଉପଯୁକ୍ତ ତଥ୍ୟ ପ୍ରମାଣ ଆଧାରରେ ୫୦ ପ୍ରତିଶତ ଅତିକ୍ରମ କରିବା କଥା ଉଲ୍ଲେଖ କରିଥିଲେ ମଧ୍ୟ ଏସସି, ଏସଟି ଓ ଓବିସି ମିଶି ୯୨ ପ୍ରତିଶତରୁ ଉଦ୍ଦ୍ୱର୍ ଜନସଂଖ୍ୟା ବିଶିଷ୍ଟ ଓଡିଶା ରାଜ୍ୟ କାହିଁକି ଏ ସଂପର୍କରେ କୈାଣସି ପଦକ୍ଷେପ ଗ୍ରହଣ କଲେ ନାହିଁ ?
୮. ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସଂରକ୍ଷଣ ସଂପର୍କିତ ମକଦ୍ଦମାରେ ଉଚ୍ଚ ନ୍ୟାୟାଳୟରେ ରାଜ୍ୟ ସରକାର ତାଙ୍କ ପକ୍ଷ ରଖିବାବେଳେ ଉଚ୍ଚତମ ନ୍ୟାୟାଳୟରେ ଏ ସଂପର୍କିତ ଏକ ମକଦ୍ଦମା ‘ବିଚାରାଧୀନ’ ଥିବା କଥା ଉଲ୍ଲେଖ କଲେ ନାହିଁ କାହିଁକି ?
୯. ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ଉଚ୍ଚତମ ନ୍ୟାୟାଳୟରେ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ରିଭ୍ୟୁ ପିଟିସନ ଦାଖଲ ନକରି ନିଜ ଦଳରେ ସଂରକ୍ଷଣ ଦେବୁ ବୋଲି କହି ପଛୁଆ ବର୍ଗକୁ ଶାସକ ବିଜେଡି ଭୂଆଁ ବୁଲାଉଛି କାହିଁକି ?
୧୦. ରାଜ୍ୟ ସରକାରଙ୍କ ପାଖରେ ପଛୁଆ ବର୍ଗଙ୍କ ସଂଖ୍ୟା ସଂପର୍କରେ ଆଦୈା କୈାଣସି ତଥ୍ୟ ନାହିଁ କି ? ତେବେ କେଉଁ ଆଧାରରେ ଜାତି ପ୍ରମାଣ ପତ୍ର ଓ ନିଯୁକ୍ତି ପ୍ରକ୍ରିୟା ଚାଲିଆସୁଛି ?
୧୧. ଆଉ କେତେ ବର୍ଷ ଶାସନ କଲେ ରାଜ୍ୟ ସରକାର ଗରୀବ, ଚାଷୀ, ଭାଗଚାଷୀ ଓ ପଛୁଆ ବର୍ଗଙ୍କ ତାଲିକା ପ୍ରସ୍ତୁତ କରିପାରିବେ ?
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ୧୧ଟି ପ୍ରଶ୍ନର ଉତର ରଖିବା ପାଇଁ ଶ୍ରୀ ବିଶ୍ୱାଳ ଦାବୀ କରିଛନ୍ତି ।
ଏହି ଅବସରରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ ଦୁର୍ଗାପ୍ରସନ୍ନ ନାୟକ, ସିଦ୍ଧାର୍ଥ ଶଂକର ପତି, ସଂଗ୍ରାମ କେଶରୀ ନାୟକ ଓ ସୁସାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।