ବଜେଟ ପାଇଁ ରାଜ୍ୟ ସରକାରଙ୍କ କସରତ

(ସାକ୍‌ସୀ ନ୍ୟୁଜ୍‌) : ପୂର୍ଣ୍ଣାଙ୍ଗ ବଜେଟ ପୂର୍ବରୁ ପ୍ରାକ ବଜେଟ ପରାମର୍ଶ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଶେଷଜ୍ଞଙ୍କ ମତାମତ ସହ ଲୋକଙ୍କ ମତାମତ ମଧ୍ୟ ନେଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ବ ସରକାରର କାମଚଳା ବଜେଟରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ ଥିଲା ବେଳେ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି । ତେଣୁ ସେ ଦୃଷ୍ଟିରୁ କେଉଁ କ୍ଷେତ୍ରରୁ ପାଣ୍ଠି ଆସିବ, ପୂର୍ଣ୍ଣାଙ୍ଗ ବଜେଟର ଆକାର କିଭଳି ରହିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ପ୍ରାକ ବଜେଟ ମିଟିଂ ଡାକି ଅର୍ଥ ବିଭାଗ ଦାୟିତ୍ବରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ସବୁ ଅଂଶୀଦାରଙ୍କଠୁ ମତାମତ ଗ୍ରହଣ କରିଛନ୍ତି । ଲୋକସେବା ଭବନରେ ବସିଥିବା ବୈଠକରେ ଯୋଗ ଦେଇଥିଲେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ସଚିବ ଓ ଅର୍ଥନୀତି ବିଶାରଦଙ୍କ ସମେତ ମୋଟ ୧୫୦ରୁ ଅଧିକ ଅଂଶୀଦାର । ଏହି ବୈଠକର ଫୋକସରେ ଥିଲା ନିର୍ବାଚନୀ ପ୍ରତିଶ୍ରୁତି । ଏଥିପାଇଁ ନୂଆ ଯୋଜନା ଆଣିଲେ, ସରକାରଙ୍କୁ କେତେ ବୋଝ ସହିବାକୁ ପଡ଼ିବ? ଏଥିପାଇଁ କେଉଁଠୁ ଅର୍ଥ ଆସିବ ? ସେନେଇ ବି ବିଶେଷଜ୍ଞଙ୍କ ମତାମତ ନିଆଯାଇଛି । ପ୍ରାକ୍ ବଜେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଆସନ୍ତା ୨୫ରେ ବିଧାନସଭାରେ ଆଗତ ହେବାକୁ ଥିବା ବିଜେପି ସରକାରର ପ୍ରଥମ ବଜେଟ୍ ଯେପରି ବାସ୍ତବରେ ଲୋକଙ୍କ ବଜେଟ୍ ହେବ, ଲୋକଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ, ସେଥିପାଇଁ ବୈଠକରେ ଆଲୋଚନା ହୋଇଛି ।

ରାଜ୍ୟରେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି । ଅନେକ ନିର୍ବାଚନୀ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ନୂଆ ସରକାର । ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର, ଧାନ ଏମଏସପି ୩୧ ଶହ ଟଙ୍କାକୁ ବୃଦ୍ଧି ଆଉ ସବୁଠୁ ବଡ଼ କଥା ହେଲା, ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିବା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ କଷ୍ଟାର୍ଜିତ ଜମା ଟଙ୍କା ଫେରାଇବା । ଏହି ୩ ଲୋକାଭିମୁଖୀ ଯୋଜନା ପ୍ରଚଳନ ବିଜେପି ସରକାର ପାଇଁ ଚାଲେଞ୍ଜ ହୋଇପାରେ । ତେବେ ବଜେଟ୍ ପାଇଁ ନୂଆ ସରକାର ଅନଲାଇନ ଓ ହ୍ୱାଟ୍ସଅପରେ ଜରିଆରେ ଲୋଡ଼ିଥିବା ମତାମତ ପାଇଁ ବେଶ ଆଗ୍ରହ ଦେଖାଇଛନ୍ତି ଜନ ସାଧାରଣ । ପ୍ରାୟ ୧୨ ହଜାରରୁ ଅଧିକ ଲୋକ ଅନଲାଇନ୍‌ ଜରିଆରେ ମତାମତ ଦେଇଛନ୍ତି ।