ରାଜ୍ୟସ୍ତରୀୟ ନାଟକ ଉତ୍ସବ ‘ରଙ୍ଗ ସଙ୍ଗମ’

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ …..

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେଉଛି ରାଜ୍ୟ ସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ’। ସମ୍ବଲପୁର ଜିଲ୍ଲା ସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ମାର୍ଚ୍ଚ ମାସ ୯ ତାରିଖଠାରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ’ର ଆୟୋଜନ କରାଯାଇଛି।

ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା, ବରିଷ୍ଠ ନାଟ୍ୟକାର ଡ଼. ଦ୍ୱାରିକାନାଥ ନାୟକ, ବିଶିଷ୍ଟ ସାହିତ୍ୟିକ ଶ୍ରୀ ରାଜୀବ ପାଣି, ପ୍ରଫେସର କାଳିଦାସ ମିଶ୍ର, ବିଶିଷ୍ଟ ଐତିହାସିକ ଦୀପକ କୁମାର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଅମୃତଲାଲ ବେହେରା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସ୍ତରୀୟ ନାଟ୍ୟ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ କରିଥିଲେ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ନିଜର ଅଭିଭାଷଣରେ କହିଥିଲେ ଯେ, “ଓଡ଼ିଶାର ନାଟ୍ୟ ପରମ୍ପରା ହେଉଛି କାଳଜୟୀ। ନାଟକ ମାଧ୍ୟମରେ କଳାକାରମାନେ ସମାଜର ବାସ୍ତବତାକୁ ଦର୍ଶକମାନଙ୍କ ଆଗରେ ପରିବେଷଣ କରିଥାନ୍ତି। ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବରେ ନିଚ୍‌ଛକ ଓଡ଼ିଆ କାହାଣୀ ସବୁ ପରିବେଷଣ କରାଯିବ ଯାହାକୁ ଦର୍ଶକମାନେ ପସନ୍ଦ କରିବେ ବୋଲି ଆମେ ଆଶାବାଦୀ’।

ଆଜି ରାଜ୍ୟ ସ୍ତରୀୟ ନାଟ୍ୟ ଉତ୍ସବର ପ୍ରଥମ ସନ୍ଧ୍ୟାରେ କଖଗ ନାଟ୍ୟ ଅନୁଷ୍ଠାନ, ସମ୍ବଲପୁର ପକ୍ଷରୁ ନାଟକ “ଅନନ୍ୟ’ ପରିବେଷଣ କରାଯାଇଥିଲା, ଯାହାକୁ ରଚନା କରିଥିଲେ ନାଟ୍ୟକାର ବ୍ରଜେନ୍ଦ୍ର ନାୟକ। ସମସ୍ତ କଳାକାରମାନଙ୍କ ସୁନ୍ଦର ଅଭିନୟ ଦର୍ଶକମାନଙ୍କ ମନ ଜିଣିବା ସହ ନାଟକର କାହାଣୀକୁ ଦର୍ଶକମାନେ ବେଶ୍‌ ଉପଭୋଗ କରିଥିଲେ।