ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷଙ୍କ ୧୦୫ତମ ଜୟନ୍ତୀ ପାଳନ

ଆଜି ପ୍ରବାଦ ପୁରୁଷ, ମହାଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀକୁ ସାରା ରାଜ୍ୟରେ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନକୁ ଖୁବ୍ ଉତ୍ସାହର ସହ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ଫରେଷ୍ଟ ପାର୍କରେ ଥିବା ବିଜୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହାପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାର୍ଟି ଅଫିସକୁ ଯାଇ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବେ ।

ଏହି ଅବସରରେ ବିଜେଡି ପକ୍ଷରୁ ସାଇକେଲ ରାଲିର ଆୟୋଜନ କରାଯାଇଛି । କଟକ ଆନନ୍ଦ ଭବନ ନିକଟରୁ ଭୁବନେଶ୍ୱର ବିଜୁ ପଟ୍ଟାନୟକ ବିମାନ ବନ୍ଦରରେ ଯାଏଁ ସାଇକଲେ ରାଲି ହୋଇଛି । ବହୁ ନେତା ଏହାର ନେତୃତ୍ୱ ନେଉଥିବା ବେଳେ ଯୁବ ବିଜେଡି, ଛାତ୍ର ବିଜେଡିର ଶହଶହ କର୍ମୀ ସାମିଲ ହୋଇଛନ୍ତି । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀ. ଯୁବ ବିଜେଡି ସଭାପତି ବ୍ୟମୋକେଶ ରାୟ, ବିଜେଡି ନେତା ଦେବାଶିଷ ସାମନ୍ତରାୟ, ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରମୁଖ ଏହି ସାଇକେଲ ରାଲିରେ କଟକରୁ ବାହାରି ଭୁବନେଶ୍ୱରରେ ପହଂଚିଛନ୍ତି । ବିଜୁ ବାବୁ ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ । ପ୍ରବାଦ ପୁରୁଷ ତାଙ୍କ ଜୀବନରେ କରିଥିବା କାର୍ଯ୍ୟକ୍ରମ ଆଜିର ଯୁବ ପୀଢିଙ୍କୁ ଆଗକୁ ବଢିବାକୁ ସାହାସ ଯୋଗାଏ ବୋଲି କହିଛନ୍ତି ବିଜୁ ଜନତା ଦଳର ନେତା ।