ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ରାସ୍ତା ମଝିରେ କେବେ ଲୁହାର ବାଡ଼ ତ କେବେ ବାଉଁଶ ବାଡ଼ ଦେଖିବାକୁ ମିଳୁଛି । ଏବେ ମୋହନ ମାଝିଙ୍କ ସରକାର ଷ୍ଟିଲ ଗ୍ରିଲ ଲଗାଇବାର ନିଷ୍ପତି ନେଇଛି । ରାସ୍ତାମଝିରେ ଲାଗିବ ନାନା ଫୁଲଗଛ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ହାତକୁ ଦିଆଯିବ ପ୍ରାୟ ୬୦ ଲକ୍ଷ ଟଙ୍କା । ସେହି ଟଙ୍କା ବଳରେ ରାଜଧାନୀ ରାସ୍ତାକୁ ସୁନ୍ଦରୀ ଯୁବତୀ ଭଳି ସଜାଇ ଦିଆଯିବ ।
ଯୋଉଦିନ ଭୁବନେଶ୍ୱରକୁ ସ୍ମାର୍ଟସିଟି ତାଲିକାଭୁକ୍ତ କରାଯିବା ଖବର ଆମ କାନରେ ପଡ଼ିଲା । ତା’ ପରଠାରୁ ଆଜି ପର୍ଯ୍ୟନ୍ତ ଆମ ଦୃଷ୍ଟିରେ ଭୁବନେଶ୍ୱର କେବଳ ଭୁବନେଶ୍ୱର ହୋଇ ରହିଯାଇଛି । ଭୁବନେଶ୍ୱର ସ୍ମାର୍ଟସିଟି ନାମରେ ଗୋଟିଏ କମ୍ପାନୀ ବେଶ କିଛିଦିନ ଧରି ଭୁବନେଶ୍ୱରକୁ ସୁନ୍ଦର କରିବା ପାଇଁ ବହୁତ ଚେଷ୍ଟା କରି ଆସୁଛି, ମାତ୍ର ତା’ର ପ୍ରଚେଷ୍ଟାର ଫଳ କୋଉଠି? ଗଙ୍ଗଶିଉଳି ଭଳି ରାତିରେ ଫୁଟି ସକାଳେ ନଷ୍ଟ ହୋଇ ଯାଉଥିବ ସ୍ମାର୍ଟସିଟିର ସ୍ମାର୍ଟ ପ୍ରଚେଷ୍ଟା ।
ସ୍ମାର୍ଟସିଟି ଭୁବନେଶ୍ୱରରେ ବିଜୁଳି କାଟ ହେବନି । ୨୪ ଘଂଟିଆ ପାଣିସେବା ପାଇବ । ସ୍ମାର୍ଟସିଟିର ପ୍ରତିଟି ଗଳିରେ ଆଲୋକ ଜଳିବ । ରାସ୍ତାକଡ଼ ସଫାସୁତରା ରହିବ । ଏମିତି ବହୁତ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଆଜି ଯାଏ ସେସବୁ ଦେଖିବାକୁ ମିଳିଲାନି । ସରକାରଙ୍କ ଗୋଟିଏ କାମକୁ ଦେଖିଲେ ଭୁବନେଶ୍ୱର ମହାନଗରଟା ସ୍ମାର୍ଟସିଟି ପରିଚୟ ପାଇଛି ବୋଲି ଜଣାପଡ଼େ । ତା’ ହେଉଛି ଦୁଇ ଥାକିଆ ରାସ୍ତାର ମଝିସ୍ଥାନରେ ଲୁହାବାଡ଼ କାମ, ବାଉଁଶ ବାଡ଼ କାମ, ଚାରାରୋପଣ, ଗଛ ସାଜସଜା କାମ ।
୨୦୧୬ ମସିହାରେ ଭୁବନେଶ୍ୱରକୁ ସ୍ମାର୍ଟସିଟିର ମାନ୍ୟତା ମିଳିଲା । ପରୀକ୍ଷାମୂଳକ ଭାବେ ରାସ୍ତାକୁ ନୂଆରୂପ ଦିଆଯିବାର କାମ ଆରମ୍ଭ କରାଗଲା । ଓସାରିଆ ରାସ୍ତା, ପାଦଚଲା ରାସ୍ତା, ପଥପ୍ରାନ୍ତ ବିଶ୍ରାମସ୍ଥଳୀ, ପାର୍କିଂ, ଆଲୋକୀକରଣ ଭଳି କାମ ଆରମ୍ଭ କରାଗଲା । ସବୁଠାରେ କାମଗୁଡ଼ିକ ଅଧାପନ୍ତରିଆ ଭଳି ଲାଗୁଛି ।
ରାସ୍ତାର ଗୋଟିଏ ମୁଣ୍ଡରୁ ବାଉଁଶ ବାଡ଼ା ଲଗାଇବା ଆରମ୍ଭ କରି ଆର ମୁଣ୍ଡ ପର୍ଯ୍ୟନ୍ତ ପହଂଚିଲା ବେଳକୁ ପ୍ରଥମ ମୁଣ୍ଡଟି ପୂର୍ବଭଳି ଖଣ୍ଡିଆ ଦିଶୁଥିବ । ଏସବୁ ଅପବାଦରୁ ମୁକ୍ତି ପାଇବାର ବାଟ ବାହାର କରିଛନ୍ତି ମୋହନ ମାଝିଙ୍କ ସରକାର । ଏକାବେଳକେ ଷ୍ଟିଲ ଗ୍ରିଲ ଲଗାଇ ଦିଆଯିବ । ଷ୍ଟିଲ ଗ୍ରିଲ ଲଗାଇ ଦିଆଯିବା ପରେ, ରାଜକୋଷରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେବା ପରେ କେତେ ବର୍ଷ ପାଇଁ ଷ୍ଟିଲ ଗ୍ରିଲ ଅଟଳ ମେରୁ ଭଳି ସୁଦୃଢ଼ ରହିବ, ସେ ସଂପର୍କରେ ମୋହନ ମାଝିଙ୍କ ସରକାର କିଛି ପ୍ରତିଶ୍ରୁତି ଦେବାର ଦୁଃସାହସ କରିବେ କି?
ସବୁ ଅଡୁଆର ସରଳ ସମାଧାନ ଯଦି ଷ୍ଟିଲ ଗ୍ରିଲ? ଷ୍ଟିଲ ଗ୍ରିଲ କାରଣରୁ ଯଦି କୌଣସି ସମସ୍ୟା ମୁଣ୍ଡ ଟେକିବ, ସେତେବେଳେ ଷ୍ଟିଲ ଗ୍ରିଲକୁ ହଟାଇ ଦିଆଯିବନି ତ?