ବାହାପିଆ କଥା କହିବା ଛାଡୁ ବିଜେପି

ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ କ୍ଷମତା ତୈଳ କମ୍ପାନୀକୁ ଦିଆଯାଇଛି…..

ଭୁବନେଶ୍ୱର: ବିଜେପିରେ ମାତ୍ରାଧିକ ବାହାପିଆ ଅଛନ୍ତି । ଏପରି ମନ୍ତବ୍ୟ ଦେଇଛନ୍ତି ଏନ୍‌ୟୁବିସି ନେତା ସୀତାରାମ ବେହେରା । ବିଜେପି ନେତା ଗୋଲକ ମହାପାତ୍ରଙ୍କ ମନ୍ତବ୍ୟକୁ ନାପସନ୍ଦ କରି ଏନ୍‌ୟୁବିସି ନେତା ସୀତାରାମ କହିଛନ୍ତି, ବିଜେପିର କେନ୍ଦ୍ରୀୟ ନେତାମାନେ ଶହଶହ କୋଶ ଦୂରରେ ବସି ଡେଙ୍ଗୁରା ବଜାଇ ଜିତିବାର ସ୍ୱପ୍ନ ଦେଖୁଛନ୍ତି । ରାଜ୍ୟ ନେତାମାନେ ଭୁବନେଶ୍ୱରରେ ବସି ରିପୋର୍ଟରଙ୍କ ଆଗରେ ତାବଲା ବଜାଇ ବଜାଇ ଧାମନଗର ଉପନିର୍ବାଚନ ଜିତିବାର ସ୍ୱପ୍ନ ଦେଖୁଛନ୍ତି ।

ପରଲୋକଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ କଥାକୁ ଲୋକମାନେ ଏ ଯାଏ ଭୁଲିନାହାନ୍ତି । ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରସଙ୍ଗରେ ଏକଦା ବିଷ୍ଣୁ ସେଠୀ କହିଥିଲେ, ପେଟ୍ରୋଲ ଓ ଡିଜେଲ ଦର ବଢ଼ିଯାଉଛି କହୁଥିବା ଲୋକମାନେ ଗାଡ଼ି ଚଢ଼ିବା ଛାଡ଼ିଦିଅନ୍ତୁ । ଅର୍ଥାତ୍‌ ଭୋଟ ଦେଇ ଜିତାଇଥିବା ଭୋଟରଙ୍କ ସ୍ୱାର୍ଥକୁ ତିଳେମାତ୍ର ଅଗ୍ରାଧିକାର ନଦେଇ ବିଷ୍ଣୁ ସେଠୀ ମୋଦୀ ସରକାରଙ୍କ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ନିଷ୍ପତି ପ୍ରତି ଅଧିକ ନିଷ୍ଠାବାନ୍‌ ଦେଖାଉଥିଲେ ।

ଅଧିକାଂଶ ବିଜେପି ନେତାମାନେ କହୁଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ କ୍ଷମତା ଆଉ ମୋଦୀ ସରକାରଙ୍କ ହାତରେ ନାହିଁ । ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ କ୍ଷମତା ତୈଳ କମ୍ପାନୀକୁ ଦିଆଯାଇଛି । ଦେଶର ତିନୋଟି ପ୍ରମୁଖ ତୈଳ କମ୍ପାନୀ ଉପରେ ଯଦି ମୋଦୀ ସରକାରଙ୍କ ପତିଆରା ନାହିଁ । ତେବେ ନିକଟ ଅତୀତରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନପାଇବା ପଛରେ କାହା ନିର୍ଦ୍ଦେଶ କାମ କରିଥିଲା?

ଭୋଟରଙ୍କୁ ପାସଙ୍ଗରେ ପକାଉ ନଥିବା ବ୍ୟକ୍ତିଙ୍କ ପୁଅ ଏବେ ଉପନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି । ଅନୁକମ୍ପା ଭୋଟ ବଳରେ ବିଷ୍ଣୁ ସେଠୀଙ୍କ ପୁଅ ଜିତିବ ବୋଲି ଆଶା କରୁଥିବା ବିଜେପି ନେତାମାନେ ଟିକେ ବାଲେଶ୍ୱର ଉପନିର୍ବାଚନ କଥା ମନେପକାନ୍ତୁ । ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱର ସଦର ଆସନରୁ ଜିତିଥିଲେ ବିଜେପି ନେତା ମଦନମୋହନ ଦତ । ମାତ୍ର ଗୋଟିଏ ବର୍ଷ ପରେ ତାଙ୍କର ଦେହାନ୍ତ ଘଟିଲା । ବାଲେଶ୍ୱର ଉପନିର୍ବାଚନରେ ତାଙ୍କ ପୁଅ ପ୍ରାର୍ଥୀ ହେଲେ । ପରିଣାମ କ’ଣ ହେଲା? ବିଜେପି ହାତରୁ ଆସନଟି ଚାଲିଗଲା ବିଜେଡି ହାତକୁ । ଏବେ ଧାମନଗର ଉପନିର୍ବାଚନର ପରିଣାମ ସେଇଆ ହେବାକୁ ଯାଉଛି ।

ବିଜେପି ବିଧାୟକମାନେ ଜିତିଯିବା ପରେ ଭୋଟରଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖୁଛନ୍ତି । ସବୁତକ ବାହାପିଆ କଥା କହୁଛନ୍ତି । ଯେଉଁଦିନ ବିଜେପିର ରାଜ୍ୟ ନେତାଗଣ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେଇ ରାସ୍ତାକୁ ଓହ୍ଲାଇବେ; ସେହିଦିନ ରାଜ୍ୟର ଶାସନଭାର ବିଜେପି ହାତକୁ ଚାଲିଯିବ । ବିଜେପି ନେତାମାନଙ୍କ ବାହାପିଆ କଥା ହିଁ ବିଜେପିକୁ ବୁଡାଇ ଚାଲିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ‘୧୨୦+’ ଟିପ୍ପଣୀକୁ ଓଡ଼ିଶାବାସୀ ଭୁଲିନାହାନ୍ତି ।’