ଭୁବନେଶ୍ୱର: ଏପ୍ରିଲ ଶେଷ ସୁଦ୍ଧା ଖୋଲିବ ସାଲିଆସାହି ରାସ୍ତା। ଏ ନେଇ କାମକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଜୟଦେବ ବିହାରର ପାରାଲେଲ୍ ରାସ୍ତା ଭାବରେ ଏହି ରାସ୍ତା ଆରମ୍ଭ ହୋଇଛି। ଏପ୍ରିଲ୍ ୩୦ ସୁଦ୍ଧା ଏହାକୁ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହାର ଉଦଘାଟନକୁ ଚାହିଁ ବସିଛନ୍ତି ରାଜଧାନୀ ବାସିନ୍ଦା। ଜୟଦେବ ବିହାର ପାରାଲଲ ରାସ୍ତା କାମ ଶେଷ ହେବା ପରେ ଏହାର ଉଦଘାଟନ ହେବ।
ଏପ୍ରିଲ ୩୦ ତାରିଖରେ ଏହାକୁ ଉଦଘାଟନ କରିବା ପାଇଁ ପୂର୍ତ ବିଭାଗ ଲକ୍ଷ୍ୟ ରଖିଛି। ଏଥିପାଇଁ ଏହି କାମକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାର କାମ କିପରି ଚାଲିଛି ଗ୍ରାଉଣ୍ଡ ଜିରୋରୁ ଏହାର ନିରୀକ୍ଷଣ କରିଛନ୍ତି। ତେବେ ଏପ୍ରିଲ ୧୫ ସୁଦ୍ଧା ଏହି କାମ ସାରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ହୋଇଥିବା ବେଳେ ଏହାର ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏହି ରାସ୍ତାରେ ଦୁର୍ଘଟଣା କିପରି ହେବ ନାହିଁ ସେ ନେଇ ଡିଜାଇନରେ କିଛି ପରିବର୍ତନ କରାଯାଇଥିବାରୁ ସମୟକୁ ମଧ୍ୟ ବୃଦ୍ଧି କରାଯାଇଛି। ଆଉ ମାତ୍ର ୨୨ ଦିନ ମଧ୍ୟରେ କାମ ସାରି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ମନ୍ତ୍ରୀ ନିଜେ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରରେ ବଢ଼ୁଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏମିତି ଅନେକ ରାସ୍ତା ସରକାର ନିର୍ମାଣ କରିବାକୁ ଯାଉଛନ୍ତି।
ସାଲିଆସାହି ରାସ୍ତା ହେଉଛି ପ୍ରଥମ ରାସ୍ତା। ଏକାମ୍ର କାନନ ପାର୍ଶ୍ୱ ରାସ୍ତାରୁ ଚୁନକୋଇଲି ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ହେଉଛି। ତେବେ ଏହି କାମ ସରିବା ପରେ ପାଖାପାଖି ୧୧ରୁ ୧୨ କିଲୋମିଟର ପର୍ଯ୍ୟନ୍ତ ୨୦୦ ଫୁଟ୍ର ଚୌଡ଼ା ରାସ୍ତା ରାଜଧାନୀ ବାସିନ୍ଦା ପାଇବେ। ତେଣୁ ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ର ଭିଡ଼କୁ କମାଇବା ପାଇଁ ଏହା ନିର୍ମାଣ ହେଉଛି।
ଅନ୍ୟପଟେ ଏହି ରୋଡର ଆବଶ୍ୟକତା ବେଶ୍ ଅଧିକ ରହୁଥିବା କହିଛନ୍ତି ରାଜଧାନୀ ବାସିନ୍ଦା। ଯଥାଶୀଘ୍ର ଏହି ରାସ୍ତା କାମ ଶେଷ କରିବାକୁ ଅନୁରୋଧ କରିଛନ୍ତି। ଏଣିକି ଘଂଟା ଘଂଟା ଟ୍ରାଫିକରେ ନ ରହି ଅଳ୍ପ ସମୟରେ କଟକରୁ ଭୁବନେଶ୍ୱର ଆସିପାରିବେ ଲୋକେ। ରାଜଧାନୀର ଭିଡ଼କୁ କମାଇବା ପାଇଁ ମୋଟ୍ ୩୭ଟି ଜାଗାରେ ପାରାଲାଲ୍ ରୋଡ୍ ନିର୍ମାଣ କରିବାର ଲକ୍ଷ୍ୟ ରହିଛି।