‘ଶକ୍ତିଶାଳୀ ପଂଚାୟତ ହେଉଛି ସ୍ଥାୟୀ ବିକାଶର ଆଧାର’

ସାରା ଦେଶରେ ପାଳିତ ହେଉଥିବା ‘ସାଧନା ସପ୍ତାହ’ (୨-୮ ଏପ୍ରିଲ ୨୦୨୬) ଅଭିଯାନର ….

ଭୁବନେଶ୍ୱର: ସାରା ଦେଶରେ ପାଳିତ ହେଉଥିବା ‘ସାଧନା ସପ୍ତାହ’ (୨-୮ ଏପ୍ରିଲ ୨୦୨୬) ଅଭିଯାନର ଅଂଶସ୍ୱରୂପ ଆଜି ଭୁବନେଶ୍ୱର କୃଷିଭବନଠାରେ ‘ତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା’ (ଜରସଜ୍ଞବଶସଦ୍ଭସଦ୍ଭଶ ଉବକ୍ଟ୍ରବମସଗ୍ଧଚ୍ଚ ଈଙ୍କସକ୍ଷୟସଦ୍ଭଶ ଲକ୍ଟକ୍ସ ଏକ୍ସବଗ୍ଦଗ୍ଦକ୍ସକ୍ଟକ୍ଟଗ୍ଧଗ୍ଦ ଏକ୍ଟଙ୍ଖରକ୍ସଦ୍ଭବଦ୍ଭମର) ଶୀର୍ଷକ ଏକ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି। କାପାସିଟି ବିଲଡିଂ କମିଶନ (ସିବିସି), କର୍ମଚାରୀ ଚୟନ ଓ ପ୍ରଶିକ୍ଷଣ ବିଭାଗ, କର୍ମଯୋଗୀ ଭାରତ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ‘ପ୍ରଯୁକ୍ତିବିଦ୍ୟା, ପରମ୍ପରା ଏବଂ ବାସ୍ତବ ପରିଣାମ’ ଆଧାରରେ ତୃଣମୂଳ ସ୍ତରର ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଲୋଚନା କରାଯାଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ, ସାମଗ୍ରିକ ଓ ସ୍ଥାୟୀ ବିକାଶ ପାଇଁ ଶକ୍ତିଶାଳୀ ପଂଚାୟତ ହେଉଛି ମୂଳଦୁଆ। ପଂଚାୟତିରାଜ ପ୍ରତିନିଧିମାନଙ୍କୁ ସଶକ୍ତ କରିବା ପାଇଁ ଏକ ନିରନ୍ତର ଓ ଦକ୍ଷତା ଭିତିକ ପ୍ରଶିକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିଛି। କର୍ମଯୋଗୀ ସରକାରୀ ଅଧିକାରୀଙ୍କ ସହାୟତାରେ ପଂଚାୟତ ସ୍ତରରେ ବ୍ୟାପକ ପରିବର୍ତନ ଆଣିବା ପାଇଁ ସେ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ।

କାପାସିଟି ବିଲଡିଂ କମିଶନର ସଦସ୍ୟ (ଏଚଆର) ଡଃ ଆର. ବାଲା ସୁବ୍ରମଣ୍ୟମ ‘ମିଶନ କର୍ମଯୋଗୀ’ର ପରିକଳ୍ପନା ଏବଂ ସରକାରୀ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସିବିସିର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଶାସନ ବ୍ୟବସ୍ଥାକୁ ‘ନିୟମ-ଭିତିକ’ରୁ ‘ଭୂମିକା-ଭିତିକ’କୁ ପରିବର୍ତନ କରିବା ଏବଂ ନାଗରିକ-କୈନ୍ଦ୍ରିକ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତ ସରକାରଙ୍କ ପଂଚାୟତିରାଜ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାଜେଶ କୁମାର ସିଂ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା -ସଚିବ ଗିରିଶ ଏସ୍‌.ଏନ୍‌, ଏସ୍‌ଆଇଆର୍‌ଡି ନିର୍ଦ୍ଦେଶିକା ମଧୁସ୍ମିତା ସାମଲଙ୍କ ସହ ଓଡ଼ିଶା ପଂଚାୟତିରାଜ ବିଭାଗର ଅନ୍ୟାନ୍ୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ।

ଏହି କର୍ମଶାଳାରେ ‘ବିକଶିତ ପଂଚାୟତ କର୍ମଯୋଗୀ’ ଅଭିଯାନ ଉପରେ ସବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ପଂଚାୟତିରାଜ କର୍ମଚାରୀଙ୍କ ପାଇଁ ଏକ କୃତ୍ରିମ ପ୍ରଜ୍ଞା-ଆଧାରିତ (ଇଓ ଭବଗ୍ଦରୟ) ‘ବିକଶିତ ପଂଚାୟତ’ ହ୍ୱାଟସଆପ୍‌ ଚାଟବଟ୍‌ ଏବଂ ସ୍ୱତନ୍ତ୍ର ଇ-ଲର୍ନିଂ ମଡ୍ୟୁଲ ଉନ୍ମୋଚିତ ହୋଇଛି। ଆଇଗଟ କର୍ମଯୋଗୀ ପ୍ଲାଟଫର୍ମ ମାଧ୍ୟମରେ ଏହି ସୁବିଧା ଉପଲବ୍ଧ ହେବ, ଯାହା ଗ୍ରାମ ପଂଚାୟତ ପ୍ରତିନିଧିମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଏବଂ ସମସ୍ୟାର ତୁରନ୍ତ ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ।

ସୂଚନାଯୋଗ୍ୟ ଯେ, ଏହି ଅଭିଯାନ ଅଧୀନରେ ଓଡ଼ିଶାର କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଓ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଗ୍ରାମ ପଂଚାୟତଗୁଡ଼ିକୁ ପାଇଲଟ ପ୍ରକଳ୍ପ ଭାବେ ଚୟନ କରାଯାଇଛି। ଦେଶର ମୋଟ ୬୦ଟି ପଂଚାୟତରେ ଚାଲିଥିବା ଏହି ପାଇଲଟ ପ୍ରକଳ୍ପ ମାଧ୍ୟମରେ ତୃଣମୂଳ ସ୍ତରରେ ଡିଜିଟାଲ ଶିକ୍ଷା, ଗ୍ରାମସଭାରେ ସକ୍ରିୟ ଅଂଶଗ୍ରହଣ ଏବଂ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ବିକାଶ ମୂଳକ ଯୋଜନା ପ୍ରସ୍ତୁତ କରାଯାଉଛି। ବିକଶିତ ଭାରତ ବିକଶିତ ଓଡିଶା ଗଠନ ପାଇଁ ବିକଶିତ ପଂଚାୟତର ଗୁରୁତ୍ୱକୁ ସମସ୍ତେ ସ୍ୱୀକାର କରିଥିଲେ।