ସୁଆର ଓ ବଡୁ ନିଯୋଗ ବିବାଦ: ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ
ଏକାମ୍ର କ୍ଷେତ୍ର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଏବେ ଅଚଳାବସ୍ଥା। ….
ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଏବେ ଅଚଳାବସ୍ଥା। ରୂପା ଘୋଡ଼ଣିକୁ ନେଇ ଦୁଇ ପ୍ରମୁଖ ସେବାୟତ ନିଯୋଗ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିଛି। ଫଳରେ ସୋମବାର ସକାଳ ୯ଟାରୁ ମନ୍ଦିରର ସମସ୍ତ ନୀତିକାନ୍ତି ବନ୍ଦ ରହିଥିବାରୁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଦର୍ଶନ ନପାଇ ନିରାଶ ହୋଇଛନ୍ତି।
ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଲିଙ୍ଗକୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ହେଉଥିବା ରୂପା ଘୋଡ଼ଣିକୁ ନେଇ ବିବାଦର ସୂତ୍ରପାତ ହୋଇଛି। ଗର୍ଭଗୃହ ମଧ୍ୟରେ ବଡ଼ୁ ନିଯୋଗ ଏବଂ ସୁଆର ନିଯୋଗର ସେବାୟତଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଯୁକ୍ତିତର୍କ ଓ ପରେ ଗଣ୍ଡଗୋଳ ହୋଇଥିଲା।ବିବାଦ ଏତେ ବଢ଼ିଥିଲା ଯେ, ସକାଳ ୯ଟା ପରଠାରୁ ପ୍ରଭୁଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ସୁଆର ନିଯୋଗ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାନୁସାରେ, ସୁଆର ନିଯୋଗ ପକ୍ଷରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି।
ମହାପ୍ରଭୁଙ୍କ ରୂପା ଘୋଡ଼ଣିକୁ ସୁଆର ନିଯୋଗର ସେବାୟତମାନେ ଚୋରି କରି ନେଇଯାଉଥିବା ବେଳେ ବଡ଼ୁ ନିଯୋଗ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା।ଏହି ବିବାଦ ସମ୍ପର୍କରେ ଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ତୁରନ୍ତ ଅବଗତ କରାଯାଇଛି। କମଳାକାନ୍ତ ବଡ଼ୁ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ବର୍ତମାନ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଥିବାରୁ ନୀତିକାନ୍ତି ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଛି।”ରୂପା ଘୋଡ଼ଣିକୁ ସୁରକ୍ଷା ଦେବା ଆମର କାମ, କିନ୍ତୁ ସୁଆର ନିଯୋଗ ଏହାକୁ ଚୋରି କରିବାକୁ ଉଦ୍ୟମ କରୁଛନ୍ତି ଏବଂ ବିରୋଧ କଲେ ହତ୍ୟା ଧମକ ଦେଉଛନ୍ତି’ ସେ କହିଛନ୍ତି।