ତାତିରେ ଏକ ନମ୍ବର ସୁବର୍ଣ୍ଣପୁର

ଭୁବନେଶ୍ୱର: ସୁବର୍ଣ୍ଣପୁର ସହର ଏବେ ପାଲଟିଛି ତତଲା ଗଡ । କିଛି ଦିନ ହେଲା ଲଗାତାର ୪୪.୨ ଡିଗ୍ରୀ ଥିବାବେଳେ ଏବେ ତିନିଦିନ ହେଲା ସର୍ବୋଚ୍ଚ ୪୩.୫ ଡିଗ୍ରୀ ରହିଛି । ତେବେ ତତଲା କଡାଇରେ ଭାଜି ହେଉଛନ୍ତି ଜିଲ୍ଲାବାସୀ । ତା ସହ ଅଘୋଷିତ ବିଦ୍ୟୁତ କାଟ ଏବଂ ପାନୀୟ ଜଳର ଉତ୍କଟ ସମସ୍ୟା ଲୋକଙ୍କ ଦୁଃଖକୁ ଆହୁରି ଦ୍ୱିଗୁଣିତ କରି ପକାଇଛି । ସେହିପରି ତେବେ ଶୀତରେ ବି ଏକ ନମ୍ବର ଏବଂ ତାତିରେ ବି ଏକ ନମ୍ବର ହୋଇଛି ସୁବର୍ଣ୍ଣପୁର ଜିଲ୍ଲା । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ । ସୁବର୍ଣ୍ଣପୁର ସହରକୁ ଚତୁଃପାର୍ଶ୍ୱରୁ ନଦୀ ଘେରି ରହିଛି ।

ହେଲେ ବର୍ତ୍ତମାନ ଦେଶର ଉତ୍ତପ୍ତ ସହରଭାବେ ପରିଗଣିତ ହୋଇଛି ସୁବର୍ଣ୍ଣପୁର । କାରଣ ଏବେ ନଦୀ ଶଯ୍ୟା ଗୁଡିକ ପ୍ରାୟ ପୋତି ହୋଇଯାଇଥିବା ବେଳେ ଜଳ ଧାରଣ କ୍ଷମତା ମଧ୍ୟ କମିବାରେ ଲାଗିଛି । ଫଳରେ ଦିନକୁ ଦିନ ତାତି ବଢୁଛି ବୋଲି ଆଶଙ୍କା କରୁଛନ୍ତି ଜିଲ୍ଲାବାସୀ । କେବଳ ନଦୀ ନୁହେଁ, ଜଙ୍ଗଲ ସ୍ଥିତି ମଧ୍ୟ ଉଦବେଗଜନକ । ସେହିପରି ଦିନକୁ ଦିନ ଜଙ୍ଗଲ କମୁଛି ପଛେ ବଢୁନି ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜିବୀ । ତା’ସହ ଜଙ୍ଗଲରେ ନିଆଁ ଓ ଚାଷ ଜମିରେ ନିଆଁ ଯୋଗୁଁ ମଧ୍ୟ ତାପମାତ୍ରା ବୃଦ୍ଧି ହେଉଥିବା ଅନୁମାନ କରାଯାଇଛି ।