ଓଡ଼ିଶାରେ ବଢୁଛି ଆତ୍ମହତ୍ୟା!

ଭୁବନେଶ୍ୱର(ଏସ୍ ନ୍ୟୁଜ): କୁହାଯାଏ ଭଗବାନଙ୍କ ସୃଷ୍ଟିରେ ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ। ମଣିଷର ଜୀବନ ବେଶ ମୂଲ୍ୟବାନ ହୋଇଥିବାବେଳେ ସମାଜ ପାଇଁ ବିଶେଷ ଗୁରୁତ୍ୱ ବହନ କରେ। କିନ୍ତୁ ଏହି ଜୀବନର ମୂଲ୍ୟକୁ ଅନେକ ସମୟରେ ମଣିଷ ବୁଝି ନପାରି ଆତ୍ମହତ୍ୟା କରିଥାଏ । ଏକ ଆକଳନରୁ ଜଣାଯାଇଛି ଯେ ସାରା ବିଶ୍ୱରେ ବର୍ଷକୁ ପ୍ରାୟ ୧୫ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଏପରିକି ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ବଢ଼ୁଥିବା ଜଣାପଡ଼ିଛି।

ତଥ୍ୟ ଅନୁଯାୟୀ ଆତ୍ମହତ୍ୟାଜନିତ ଜାତୀୟ ମୃତ୍ୟୁ ହାର ଠାରୁ ଓଡିଶାର ହାର ଅଧିକ। ୨୦୧୯ ରେ ଭାରତରେ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୦ ହଜାର ଥିବାବେଳେ କେବଳ ଓଡିଶାରୁ ୪ ହଜାର ପାଞ୍ଚଶହ ମାମଲା ଆସିଛି। ଦେଶରେ ପ୍ରତିଦିନ ୩୮୦ ଜଣ ଆତ୍ମହତ୍ୟା କରୁଥିବା ବେଳେ ୧୨-୧୩ ଜଣ ଓଡିଶାରେ ଆତ୍ମହତ୍ୟା କରିଛନ୍ତି । ଜନସଂଖ୍ୟା ଦୃଷ୍ଟିରୁ ଦେଶରେ ଆତ୍ମହତ୍ୟା ହାର ୧୦.୪ ପ୍ରତିଶତ ଥିବା ବେଳେ ଓଡିଶାରେ ହାର ୧୦.୫ ପ୍ରତିଶତ ରହିଛି। ଯାହାକି ବେଶ ଚିନ୍ତା ଜନକ।

ସୂଚନା ମୁତାବକ ପ୍ରତିବର୍ଷ ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଥିବା ବେଳେ ୮ ଲକ୍ଷ ଲୋକ ନିଜ ଜୀବନ ସହ ଏଭଳି ଚରମ ପଦକ୍ଷେପ ନେଉଛନ୍ତି। ସେହିଭଳି ପ୍ରତି ଘଣ୍ଟାରେ ହାରାହାରି ୧୬ ଜଣ ଭାରତୀୟ ଆତ୍ମହତ୍ୟାରେ ଜୀବନ ହାରୁଛନ୍ତି। ଚଳିତବର୍ଷ କରୋନା ପରିସ୍ଥିତିରେ ରାଜ୍ୟ, ଦେଶ ତଥା ସାରା ବିଶ୍ୱରେ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହାର ମୁଖ୍ୟ କାରଣ ରହିଛି ଆର୍ଥିକ ଅନଗ୍ରସରତା ,ଡିପ୍ରେସନ୍ ଏବଂ ମାନସିକ ରୋଗ । ବିଶେଷ କରି ଯୁବ ବର୍ଗ ଏହାର ଅଧିକ ଶିକାର ହେଉଛନ୍ତି । ଏଥିରେ ୧୫-୩୦ ବର୍ଷ ଯୁବକ/ଯୁବତୀ ବେଶୀ ରହିଥିବା ଦେଖିବାକୁ ମିଳିଛି ।

ଆତ୍ମହତ୍ୟା ରୋକିବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ପାଇଁ ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ଆନୁକୁଲ୍ୟରେ ୨୦୦୩ ରୁ ପ୍ରତି ବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ‘ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ’ ଭାବେ ପାଳନ କରାଯାଉଛି। ଏଭଳି ସ୍ଥିତିର ମୁକାବିଲା କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିନର ଶୀର୍ଷକ ରଖିଛି ‘ସମସ୍ତେ ମିଳିମିଶି ଆସନ୍ତୁ ଆତ୍ମହତ୍ୟା ରୋକିବା’।