ସୁନ୍ଦରଗଡ: ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସରକାରୀ ଅର୍ଥ ହଡପ ମାମଲାରେ ବାଲିଶଙ୍କରା ବ୍ଲକ୍ ପୂର୍ବତନ କନିଷ୍ଠ ଯନ୍ତ୍ରୀ ଅନୁପ କୁମାର ଦାସ (୬୯)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି। ୨୦୦୧-୨୦୦୨ ମସିହାରେ ପୂର୍ବତନ କନିଷ୍ଠ ଯନ୍ତ୍ରୀ ଶ୍ରୀ ଦାସ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ବାଲିଶଙ୍କରା ବ୍ଲକ୍ ଅଂଚଳର ରାପଟାଜୋର ପୋଖରୀ ଖନନରେ ଶ୍ରମିକଙ୍କ ଟିପଚିହ୍ନ ଜାଲିଆତି କରି ୧୫୬୦ ଟଙ୍କା ହଡପ କରିଥିଲେ। ସେହିପରି କାଗଜପତ୍ରରେ ପୋଖରୀ ଖନନ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଭିଜିଲାନ୍ସ ୩୧.୭.୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା। ଚୂଡାନ୍ତ ରିପୋର୍ଟ ଦାଖଲ ପରେ ମାମଲାର ବିଚାର କରି କୋର୍ଟ ତାଙ୍କୁ ବୁଧବାର ଦଣ୍ଡାଦେଶ କରିଛନ୍ତି। ମାମଲାର ସହ-ଅଭିଯୁକ୍ତ ପୂର୍ବତନ ସୁନ୍ଦରଗଡ ଡିଆରଡିଏ ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ) ରାଜ କିଶୋର ସାହୁଙ୍କ ବିରୋଧରେ କୌଣସି ସାମଗ୍ରୀ କିମ୍ବା ପରିସ୍ଥିତି ପ୍ରମାଣିତ ହୋଇପାରି ନଥିବାରୁ ତାଙ୍କୁ ଖଲାସ କରାଯାଇଛି। ଝାରସୁଗୁଡା ଭିଜିଲାନ୍ସ ୟୁନିଟ ନିରୀକ୍ଷକ ତ୍ରିନାଥ ପଟେଲ ମାମଲାର ତଦନ୍ତ କରିଥିବା ବେଳେ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଶ୍ୟାମସୁନ୍ଦର ମିଶ୍ର, ଉଦିତ ବାଟୁଶର୍ମା ମାମଲା ପରିଚାଳନା କରିଥିଲେ। ସହାୟକ ପିପି ସନ୍ଦୀପ କୁମାର ପଣ୍ଡା ସହଯୋଗ କରିଥିଲେ। ମୟୂରଭଞ୍ଜ ବାରିପଦା ଟାଉନଥାନା ଚଂଚା ଗ୍ରାମରେ ରହୁଥିବା ଶ୍ରୀଦାସଙ୍କୁ କୋର୍ଟ ଜାମିନ ଦେଇଛନ୍ତି।