ସୂର୍ଯ୍ୟପରାଗ: ଦୀପାବଳି ଦିନ ରାତି ଚାରିଟାରୁ ହାଣ୍ଡିଛାଡ଼
ସୂର୍ଯ୍ୟପରାଗ ଆରମ୍ଭ ହେବାର ୧୨ ଘଂଟା ପୂର୍ବରୁ ହାଣ୍ଡିଛାଡ଼….
ଅକ୍ଟୋବର ୨୫ ତାରିଖରେ ବର୍ଷର ଅନ୍ତିମ ସୂର୍ଯ୍ୟପରାଗ ପଡୁଛି । ଭାରତରେ ଆଂଶିକ ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହେବ । ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ୨୪ ଅକ୍ଟୋବର ସୋମବାର ଦିନ ପ୍ରଦୋଷ କାଳରେ ପାଳିତ ହେବ । ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜା କରାଯାଏ । ଆପଣ ଜାଣନ୍ତି, ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଘଟିଥାଏ । ବିଶେଷ କରି ଅମାବାସ୍ୟା ତିଥିରେ ସୂର୍ଯ୍ୟ ପରାଗ ହୁଏ ।
୨୫ ଅକ୍ଟୋବର ସୂର୍ଯ୍ୟ ପରାଗ ଭାରତର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେଉଥିବାରୁ ପାଳନୀୟ । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୩୦ ଏପ୍ରିଲରେ ଘଟିଥିଲା । ସୂର୍ଯ୍ୟପରାଗ ଏକ ମହାଜାଗତିକ ଘଟଣା । ଧାର୍ମିକ ଦୃଷ୍ଟିକୋଣରୁ ସୂର୍ଯ୍ୟପରାଗର ମହତ୍ୱ ଅଧିକ । ବିଶେଷ କରି କୌଣସି ଖାସ୍ ଦିନ ସୂର୍ଯ୍ୟପରାଗ ପଡ଼ିଲେ, ତା’ର ଗୁରୁତ୍ୱ ଆହୁରି ବଢ଼ିଯାଏ । ୨୫ ଅକ୍ଟୋବର ଦିନ ଦ୍ୱିପହର ୨ଟା ୨୯ ମିନିଟରେ ଆଇସଲାଣ୍ଡରୁ ସୂର୍ଯ୍ୟପରାଗ ଆରମ୍ଭ ହୋଇ ୬ଟା ୨୦ ମିନିଟ୍ରେ ଆରବ ସାଗରରେ ଶେଷ ହେବ । ଭାରତରେ ସୂର୍ଯ୍ୟପରାଗ ଦିନ ୪ଟା ୨୯ ମିନିଟ୍ରେ ଆରମ୍ଭ ହୋଇ ୬ଟା ୦୯ ମିନିଟ୍ରେ ଶେଷ ହେବ ।
ସୂର୍ଯ୍ୟପରାଗ ଆରମ୍ଭ ହେବାର ୧୨ ଘଂଟା ପୂର୍ବରୁ ହାଣ୍ଡିଛାଡ଼ । ଭାରତରେ ସୂର୍ଯ୍ୟପରାଗ ଅପରାହ୍ଣ ଚାରିଟା ପରେ ଦେଖାଯିବ, ତା’ର ୧୨ ଘଂଟା ପୂର୍ବରୁ ଅର୍ଥାତ୍ ଭୋର ଚାରିଟାରୁ ହାଣ୍ଡିଛାଡ଼ ପାଇଁ ପରାମର୍ଶ ଦିଆଯାଇଛି । ତେଣୁ ଗୋବର୍ଦ୍ଧନ ପୂଜା ୨୬ ଅକ୍ଟୋବର ଦିନ ପାଳନ କରାଯିବ । ୨୭ ତାରିଖରେ ଭାଇ ଜିଉନ୍ତିଆ ପାଳନ କରାଯିବ । ଦେବ ଦୀପାବଳି ଦିନ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଚଳିତ ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ ତାରିଖ ମଙ୍ଗଳବାର ଦିନ ପଡୁଛି ।
ବିଶେଷ କରି ପୂର୍ଣ୍ଣିମା ତିଥିରେ ଗ୍ରହଣ ଯୋଗ ସୃଷ୍ଟି ହୁଏ । ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀ ରହିଲେ, ସୂର୍ଯ୍ୟ କିରଣ ଚନ୍ଦ୍ର ନିକଟରେ ପହଂଚି ପାରେନା । ଚନ୍ଦ୍ରକୁ ଅନ୍ଧକାର ମାଡ଼ିବସେ ଯାହାକୁ ଗ୍ରହଣ ଯୋଗକୁ ବୁଝାଏ । ଭାରତୀୟ ସମୟ ଅନୁସାରେ ନଭେମ୍ବର ୮ ତାରିଖ ଦ୍ୱିପହର ଗୋଟାଏ ୩୨ ମିନିଟ୍ରେ ଗ୍ରହଣ ଆରମ୍ଭ ହୋଇ ରାତି ୭ଟା ୨୭ ମିନିଟ୍ରେ ଶେଷ ହେବ ।
ପୂର୍ଣ୍ଣଚନ୍ଦ୍ର ଗ୍ରହଣ ସମୟରେ ସୂର୍ଯ୍ୟକିରଣ ଆଦୌ ଚନ୍ଦ୍ର ଉପରେ ପଡେ଼ନାହିଁ । ଏଥର ଚନ୍ଦ୍ର ଗ୍ରହଣର ପ୍ରଭାବ ଦକ୍ଷିଣ-ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତର ଆମେରିକା, ଦକ୍ଷିଣ ଆମେରିକା, ଆଟଲାଂଟିକ ଓ ଭାରତ ମହାସାଗରରେ ଅନୁଭୂତ ହେବ । ଭାରତକୁ ଚନ୍ଦ୍ର ଗ୍ରହଣ ଦେଖାଯିବ ନାହିଁ । ତେଣୁ ଧାର୍ମିକ ମତରେ ଭାରତରେ ଚନ୍ଦ୍ର ଗ୍ରହଣ ପାଳନ କରାଯିବ ନାହିଁ ।