ଅତାବିରା: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ସାରା ଭାରତ ଓ ଓଡ଼ିଶାରେ ଗ୍ୟାସ୍ ସଙ୍କଟ ଦେଖିବାକୁ ମିଳିଛି। ଏହାକୁ ନେଇ ତତ୍ପରତା ଦେଖାଇଛି ଖାଦ୍ୟ ଯୋଗାଣ ବିଭାଗ। କଳାବଜାରି ରୋକିବା ପାଇଁ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବରଗଡ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଗ୍ୟାସ କଳାବଜରୀ ସୂଚନା ପାଇ ବରଗଡ ଜିଲା ଅତାବିରା ବ୍ଲକ କୁଲୁଣ୍ଡା ଗାଁର ବ୍ୟବସାୟୀ ପ୍ରଶାନ୍ତ ପ୍ରଧାନଙ୍କ ଘରେ ଯୋଗାଣ ବିଭାଗ ଚଢାଉ କରିଛି।
ତାଙ୍କ ଘରୁ ୧୨ଟି ଘରୋଇ ଗ୍ୟାସ ସିଲିଣ୍ଡର ସହିତ ୨୮୩ ଗ୍ରାହକଙ୍କ ଗ୍ୟାସ ଖାତା ମିଳିଛି। ସେଥିମଧ୍ୟରୁ ୧୬୦ଟି ଉଜ୍ୱଳା ଯୋଜନା ଖାତା ରହିଥିବା ବେଳେ ୧୨୩ଟି ସାଧାରଣ କଂଜୁମର ଖାତା ଜବତ। ତେବେ ଏହି ଗ୍ୟାସ ସିଲିଣ୍ଡର ଓ ଏତେ ଜଣ କଂଜୁମରଙ୍କ ଖାତା କେଉଁଠୁ ଆସିଲା ତାହା ତଦନ୍ତ କରୁଛି ଯୋଗାଣ ବିଭାଗ ।
ଅନ୍ୟ ପଟେ ଜିଲା ପ୍ରଶାସନ ତରଫରୁ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଯୋଗାଣ ତଥା ବଂଟନ ସମୀକ୍ଷା ପାଇଁ ପାଇଁ ଜିଲାପାଳ ଅଧ୍ୟକ୍ଷତାରେ ଏକ ବୈଠକ କରି କମିଟି ଗଠନ କରାଯାଇଛି।