ମାଗଣା ପାଇଲେ ପିଚୁ ଗିଳିଦେବା!
ତେଲେଙ୍ଗାନାର କରିମନଗରରେ ନୂଆ କରି ଖୋଲିଥିବା ଏକ ଦୋକାନ ପକ୍ଷରୁ ଟଙ୍କାକରେ ଚିକେନ୍ ବିରିୟାନୀ ଦିଆଯିବାର ଘୋଷଣା କରାଗଲା । ଉକ୍ତ ଘୋଷଣାଟିକୁ ଭଲ କରି ବୁଝିବା ପୂର୍ବରୁ ଲୋକମାନେ ରାସ୍ତା ଉପରେ ଗାଡ଼ି ଥୋଇ ଦୋକାନ ସାମ୍ନାରେ ଲମ୍ବାଧାଡ଼ିରେ ଠିଆ ହେଲେ । ବେଆଇନ ଗାଡ଼ି ପାର୍କିଂ କାରଣରୁ ଜରିମାନା ଗଣିଲେ । ଦୋକାନ ଆଗରେ ଭିଡ଼ ଜମାଇବା କାରଣରୁ ପୁଲିସ ହାତରେ ଛେଚା ଖାଇଲେ । ଆରେ ବାବୁ, ଟଙ୍କାକରେ କୋଉଠି ଚିକେନ୍ ବିରିୟାନୀ ମିଳିଲାଣି? ଏ କଥାଟି କେମିତି କାହା ମୁଣ୍ଡକୁ ପଶିଲାନି । ଶସ୍ତା ଲୋକପ୍ରିୟତା ସାଉଁଟିବା ଉଦ୍ଦେଶ୍ୟରେ ଦୋକାନର ମାଲିକ ଯୋଉ ବାଟ ଆପଣାଇଲେ, ସେହି ବାଟରେ ମାଡ଼ି ଲୋକହସା ହେଲେ ।
ଧନ୍ୟ ଆମ ରୁଗ୍ଣ ମାନସିକତା
ଏମିତି ଏକ ମାନସିକତାର ଶିକାର ହୋଇଛନ୍ତି ଓଡ଼ିଶାର ଦୁଇକୋଟିରୁ ଅଧିକ ଜନତା । ସମସ୍ତଙ୍କ ମୁଣ୍ଡରେ ଗୋଟିଏ ଭୂତ ପଶିଛି କ’ଣ ନା ନବୀନବାବୁ ମୁଖ୍ୟମନ୍ତ୍ରୀ ଥିବାରୁ ଗରିବଙ୍କୁ ଟଙ୍କାକରେ କିଲେ ଚାଉଳ ମିଳୁଛି । ସେ ମୁଖ୍ୟମନ୍ତ୍ରୀ ପଦରୁ ହଟିଗଲେ, ଆଉ ଗରିବଙ୍କୁ ଟଙ୍କାକରେ କିଲେ ଚାଉଳ ମିଳିବନି ବୋଲି ଶାସକ ଦଳର ବିଧାୟକମାନେ ଗାଁ ଗଣ୍ଡାରେ ପ୍ରଚାର କରୁଛନ୍ତି । କାଳିଆ ଟଙ୍କା, ସବୁ ଗାଁକୁ ପକ୍କା ରାସ୍ତା, ଗରିବଙ୍କୁ ମାଗଣାରେ ଶାଢ଼ି, ଧୋତି, ଛତା, ବାଡ଼ି, କମ୍ବଳ ଦଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କି ଦୁର୍ବଳ ମାନସିକତା?
ଆରେ ବାବୁ ନବୀନ ପଟ୍ଟନାୟକଙ୍କ ସ୍ଥାନରେ ଯିଏ ମୁଖ୍ୟମନ୍ତ୍ରୀ ହେବ; ସେ ସମସ୍ତେ ଏଭଳି ଭୋଟ ସାଉଁଟା ଯୋଜନାଗୁଡ଼ିକ ଚାଲୁ ରଖିବେ । ଏଭଳି ଯୋଜନାରେ ଖର୍ଚ୍ଚ ହେଉଥିବା ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବା ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ପକେଟରୁ ଯାଉନି । ସାଢେ଼ ଚାରିକୋଟି ଲୋକଙ୍କ କଲ୍ୟାଣ ପାଇଁ ଗଠିତ ରାଜକୋଷରୁ ଯାଉଛି ।
ଯୋଜନା ନାମରେ ଯୋଉ ଟଙ୍କାଗୁଡ଼ାକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ ହାତରେ ଧରାଉଛନ୍ତି । ସେହି ଟଙ୍କା ପରେ ଋଣବୋଝ ହୋଇ ଲୋକଙ୍କ ମୁଣ୍ଡରେ ଲଦି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଧାରଣ ହିତାଧିକାରୀ ଏସବୁ କଥା ଭଲ ଭାବରେ ଜାଣି ପାରୁଛନ୍ତି, ମାତ୍ର ଭରାଗରାରୁ ଆଂଜୁଳାଏ ପାଇଲେ କେତେ କଥା ଭାବି ନିରବ ରହୁଛନ୍ତି ।