ଜୟପୁର: କୋରାପୁଟ କଂଗ୍ରେସର ଫାଟ ବଢ଼ିବାରେ ଲାଗିଛି । ଦଳ ଭିତରେ ରହିଥିବା ମନାନ୍ତର ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ଗତକାଲି ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ସାଂସଦ ସପ୍ତଗିରି ଉଲାକାଙ୍କ ସାମ୍ବାଦିକ ସମ୍ମିଳନୀରୁ ଉଠି ଆସିଥିଲେ । ତାଙ୍କୁ ଏବଂ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ କରିଥିଲେ। ଗୁରୁବାର ଏହି ପ୍ରସଙ୍ଗରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପିସିସି ସଭାପତିଙ୍କୁ ଅଯୋଗ୍ୟ ବୋଲି କହିବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି।
୨୦୧୯ ନିର୍ବାଚନରେ ପିସିସି ସଭାପତିଙ୍କ ନେତୃତ୍ବରେ କଂଗ୍ରେସ କେବଳ ୯ଟି ବିଧାନସଭା ଆସନରେ ବିଜୟ ହୋଇଥିଲା। ତେଣୁ ଦଳକୁ ସୁଦୃଢ଼ କରିବାକୁ ହେଲେ ପିସିସି ସଭାପତିଙ୍କୁ ହଟାଇବାକୁ ପଡ଼ିବ ବୋଲି ପ୍ରକାଶ କରିଛନ୍ତି। ଏ ନେଇ ଏଆଇସିସି ସଭାପତି ଓ ଉପସଭାପତିଙ୍କ ପାଖରେ ଦାବି କରିବୁ। ଯଦି ଦିଲ୍ଲୀରେ ଏଆଇସିସି ନ ଶୁଣନ୍ତି ତେବେ ରାଜଧାନୀରେ ଲଢେଇ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ବାହିନୀପତି। ସେହିପରି ବାହିନୀପତି କୋରାପୁଟ ସାଂସଦ ସପ୍ତଗିରିଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ଜାଣିଶୁଣି ଗତକାଲି କୋରାପୁଟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀକୁ ତାଙ୍କୁ ଡକାଗଲା ନାହିଁ ବୋଲି ଅଭିଯୋଗ କରିଛନ୍ତି। ଗତକାଲି ପଟାଙ୍ଗି ବ୍ଲକ୍ର ୯ଟି ସ୍ଥାନରେ ଖଣି ଖନନ ନିମନ୍ତେ ପଲ୍ଲୀସଭା କରିବାକୁ ନିର୍ଦ୍ଧାରିତ ହୋଇଥିଲା। ଏହି ପଲ୍ଲୀସଭାକୁ ଯେମିତି କୌଣସି ସାମ୍ବାଦିକ ଯାଇପାରିବେ ନାହିଁ ସେହି ଉଦ୍ଦେଶ୍ୟରେ କୋରାପୁଟରେ ସାମ୍ବାଦିକ ସମ୍ମିଳନୀ ସାଂସଦ କରିଥିଲେ। ନିର୍ବାଚନ ଜିତିବାର ଦୁଇ ବର୍ଷ ପରେ ସାଂସଦ କୋରାପୁଟରେ ସାମ୍ବାଦିକ ସମ୍ମିଳନୀ କରିବା ପଛରେ ଚକ୍ରାନ୍ତ ଥିଲା ବୋଲି ଅଭିଯୋଗ କରିଛନ୍ତି।