ପ୍ରଦୀପଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ!-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ଟାଟା ମୋଟର୍ସ ଠକେଇ ମାମଲାରେ ଗୋଟିଏ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗୁଛି। ମାମଲାର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ମାରାଥନ୍ ଜେରା କରୁଛି ତଦନ୍ତକାରୀ ଟିମ୍। ପିଏ ଡେଭିଡ୍ ପିଟର ସହ ମୁହାଁମୁହିଁ ଜେରା କରିବା ପରେ ମିଳିଛି ଅନେକ ପ୍ରମାଣ। ଆହୁରି ଅଧିକ ଖୋଳତାଡ଼ ପାଇଁ ଝାରପଡ଼ା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇପାରେ ବୋଲି ଜଣାପଡ଼ିଛି।

ସେହିପରି ଏହି ମାମଲାରେ ବ୍ରହ୍ମପୁରରେ ଗୋଟିଏ ଅଧିକ ତଥ୍ୟ ଲାଗି ଟିମ୍ ଖୋଳତାଡ଼ ଜାରି ରଖିଛି। ଠକେଇର ଶିକାର ବ୍ୟକ୍ତିଙ୍କର ବୟାନ ମଧ୍ୟ ରେକର୍ଡ କରୁଛି। ଚାକିରି ନାଁରେ ଠକେଇ ହୋଇଥିବା ଟଙ୍କା ପ୍ରଦୀପଙ୍କର କେତେକ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଆଦାୟ ହେଉଥିବା ଜଣାପଡ଼ିବା ପରେ ସେମାନଙ୍କୁ ଖୋଜା ଚାଲିଛି। ଏଭଳି ସ୍ଥିତିରେ ପ୍ରଦୀପଙ୍କର ଅତି ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଅଧ୍ୟକ୍ଷ ଭି. ସର୍ବେଶ୍ବର ରାଓଙ୍କ ପତ୍ତା ମିଳୁନି। ଗତ ନଭେମ୍ବର ୩୦ ତାରିଖରେ ତାଙ୍କୁ ତଦନ୍ତକାରୀ ଟିମ୍ ଜେରା କରିଥିବା ବେଳେ ଏହା ପରେ ତାଙ୍କର ଖୋଜଖବର ନାହିଁ। ସେ ଆନ୍ଧ୍ରପ୍ରଦେଶରେ ଆତ୍ମଗୋପନ କରିଥିବା ଅନୁମାନ କରୁଛି କ୍ରାଇମବ୍ରାଞ୍ଚ। ସର୍ବେଶ୍ବର ପ୍ରାର୍ଥୀଙ୍କର ବାୟୋଡାଟା ସଂଗ୍ରହ କରି ଆକାଶଙ୍କ ପାଖକୁ ପଠାଉଥିଲେ ବୋଲି ପିଟର ତାଙ୍କ ବୟାନରେ କହିଛନ୍ତି। ପ୍ରଦୀପ ଓ ଆକାଶଙ୍କ ଭିତରେ ମଧ୍ୟସ୍ଥ ସାଜିଥିଲେ ଠକେଇ ମାମଲାରେ ଭାଗିଦାରି ହୋଇଥିବାରୁ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିପାରେ। ସର୍ବେଶ୍ବର ଗିରଫ ହେଲା ପରେ ପୂରା ଠକେଇ ସିଣ୍ଡିକେଟର ପର୍ଦ୍ଦାଫାସ୍ ହେବ ବୋଲି କ୍ରାଇମବ୍ରାଞ୍ଚ ବୋଲି କ୍ରାଇମବ୍ରାଞ୍ଚ କହିଛି।