ମୋହନ ସରକାରଙ୍କ ଗଳାବାଟରେ ଟେଣ୍ଡର ଫିକ୍ସିଂ!

ସଦ୍ୟ ସଂଶୋଧିତ (ଜାନୁଆରି ୩ରେ) ଟେଣ୍ଡର ନିୟମରେ …

ଭୁବନେଶ୍ୱର: ସଦ୍ୟ ସଂଶୋଧିତ (ଜାନୁଆରି ୩ରେ) ଟେଣ୍ଡର ନିୟମରେ ଠିକାଦାର ଚୟନ ଲାଗି ଅଧିକାରୀମାନଙ୍କୁ ଦିଆଯାଇଥିବା ବିଶେଷ କ୍ଷମତା ଆଗାମୀ ଦିନରେ ସ୍ୱେଚ୍ଛାଚାର, ଦୁର୍ନୀତି ଓ ସର୍ବୋପରି କଳଙ୍କିତ ଟେଣ୍ଡର ଫିକ୍‌ସିଂକୁ ବ୍ୟାପକ କରିବାର ଆଶଙ୍କା କ୍ରମେ ସତ ହୋଇଛି।

ଜଳ ସଂପଦ ବିଭାଗର ନିର୍ଦ୍ଦିଷ୍ଟ ଟେଣ୍ଡର ହେରଫେର୍‌ ସଂଶୋଧିତ ଟେଣ୍ଡର ପ୍ରକ୍ରିୟାର ଗଳାବାଟକୁ ଦେଖାଇ ଦେଇଛି। ପ୍ରିୟ ଠିକାଦାର ଦମ୍ପତିଙ୍କୁ କାର୍ଯ୍ୟାଦେଶ ଦେବା ପାଇଁ ଅକାରଣରେ ପ୍ରଥମ ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରାଯିବା ଓ ସମାନ କାମ ପାଇଁ ଦ୍ୱିତୀୟ ଟେଣ୍ଡର ଡାକି ସେମାନଙ୍କୁ ଏଲ୍‌-୧ ଓ ଏଲ୍‌-୨ ଚୟନ କରିବାକୁ କର୍ତୃପକ୍ଷ କିଭଳି କାରସାଦି କରିପାରନ୍ତି, ତାହା ଅନୁସନ୍ଧାନ ସାପେକ୍ଷ।

ନୟାଗଡ ସେଚ ଡିଭିଜନ୍‌ ଅନ୍ତର୍ଗତ ଡାହୁକା ସ୍ରୋତ ନିୟନ୍ତ୍ରଣ ବନ୍ଧ (ଡାଇଭର୍ସନ୍‌ ୱେର୍‌)ରେ ଲେହ ଫଲ୍‌ ବୋର୍ଡ ସଟର୍‌ (କବାଟ) କାମ ପାଇଁ ଜଳ ସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ (ଯାନ୍ତ୍ରିକ) ୨୦୨୫ ଡିସେମ୍ବର ୧୨ରୁ ୧୯ ମଧ୍ୟରେ ଟେଣ୍ଡର ଆହ୍ୱାନ କରିଥିଲେ। ଟେଣ୍ଡର ଦଲିଲ କିଣିଥିବା ସଂସ୍ଥା/ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଅନ୍‌ଲାଇନ୍‌ରେ ଅମାନତ ଦେୟ ସହ ଆବଶ୍ୟକ ଟେଣ୍ଡର ଦଲିଲ ଦାଖଲ କରିଥିଲେ ୫ଟି ସଂସ୍ଥା। ସେମାନେ ହେଲେ-ଅଭିଷେକ ଏଂଟରପ୍ରାଇଜର୍ସ, ଲକ୍ଷ୍ମୀଧର ଭୂୟାଁ, ଆବିର୍ଭାବ ଷ୍ଟିଲ୍‌ ପ୍ରଡକ୍ଟ, ଆଶୀର୍ବାଦ ଫ୍ୟାବ୍ରିକେଟର୍ସ ଏବଂ ଓରିଫେବ୍‌ ଇଣ୍ଡଷ୍ଟ୍ରିଜ୍‌। ଡିସେମ୍ବର ୨୦ରେ ତାହାର ବୈଷୟିକ ବିଡ୍‌ ଖୋଲିବାକୁ କର୍ତୃପକ୍ଷ ତାରିଖ ଧାର୍ଯ୍ୟ କରିଥିଲେ। ମାତ୍ର କୌଣସି କାରଣ ନ ଦର୍ଶାଇ କର୍ତୃପକ୍ଷ ଟେଣ୍ଡର ଖାରଜ କରିଥିଲେ। ଅଂଶଗ୍ରହଣ କରିଥିବା ସଂସ୍ଥାଙ୍କୁ ଟେଣ୍ଡର ନାକଚ ହେବାର କାରଣ ସମ୍ପର୍କରେ ଅବଗତ କରିବାକୁ ନିୟମ ଥିଲେ ମଧ୍ୟ ତାହା କରାଯାଇ ନଥିଲା। ପ୍ରାୟ ମାସେ ପରେ ପୁନର୍ବାର ସେହି କାମ ପାଇଁ ମୁଖ୍ୟଯନ୍ତ୍ରୀ ସର୍ତ ପରିବର୍ତନ କରି ଜାନୁଆରି ୨୦ରୁ ୨୭ ତାରିଖ ମଧ୍ୟରେ ଟେଣ୍ଡର ଆହ୍ୱାନ କଲେ। ପ୍ରଥମ ଟେଣ୍ଡରରେ ଅଂଶଗ୍ରହଣ କରିଥିବା ନିର୍ଦ୍ଦିଷ୍ଟ ପକ୍ଷମାନଙ୍କୁ ବାଦ୍‌ ଦେଇ ପ୍ରିୟ ଦମ୍ପତିଙ୍କୁ କାର୍ଯ୍ୟାଦେଶ ଦେବା ଅଭିସନ୍ଧିରେ ସେ ଟେଣ୍ଡର ସର୍ତ ପରିବର୍ତନ କରିଥିବା ଜଣାପଡିଥିଲା। ହୁଏତ ଏହି କାରଣରୁ ଓରିଫେବ୍‌ ଇଣ୍ଡଷ୍ଟ୍ରିଜ୍‌ ଓ ଲକ୍ଷ୍ମୀଧର ଭୂୟାଁ ଦ୍ୱିତୀୟ ଟେଣ୍ଡରରେ ଅଂଶଗ୍ରହଣ କରି ନଥିଲେ। ତେବେ ପ୍ରଥମ ଟେଣ୍ଡରରେ ଅଂଶଗ୍ରହଣ କରିଥିବା ଅଭିଷେକ ଏଂଟରପ୍ରାଇଜର୍ସ, ଆବିର୍ଭାବ ଷ୍ଟିଲ୍‌ ପ୍ରଡକ୍ଟ ଓ ଆଶୀର୍ବାଦ ଫ୍ୟାବ୍ରିକେଟର୍ସ ଦ୍ୱିତୀୟ ଟେଣ୍ଡରରେ ଭାଗ ନେଇଥିଲେ।
ଟେଣ୍ଡର ନୋଟିସ୍‌ରେ ଦର୍ଶାଯାଇଥିବା କାମର ଆକଳନ ମୂଲ୍ୟରେ କୌଣସି ହ୍ରାସ କିମ୍ବା ବୃଦ୍ଧି ନକରି ଅବିକଳ ଆକଳନ ମୂଲ୍ୟ (୬୪ ଲକ୍ଷ ୬୫ ହଜାର ୭୧୮ ଟଙ୍କା) ଉଲ୍ଲେଖ କରି ଅଭିଷେକ ଏଂଟରପ୍ରାଇଜର୍ସ ଟେଣ୍ଡର ପକାଇଥିଲେ। ଅପର ପକ୍ଷରେ ଆଶୀର୍ବାଦ ଫ୍ୟାବ୍ରିକେଟର୍ସ ୭୦ ଲକ୍ଷ ୯୪ ହଜାର ୮୩୨ ଟଙ୍କା ୬୩ ପଇସା (ପ୍ରାୟ ୯% ଅଧିକ) ଓ ଆବିର୍ଭାବ ଷ୍ଟିଲ୍‌ ପ୍ରଡକ୍ଟ ୭୧ ଲକ୍ଷ ୧୧ ହଜାର ୬୪୩ ଟଙ୍କା ୫୦ ପଇସା (ପାଖାପାଖି ୧୦% ଅଧିକ) ମୂଲ୍ୟ ଉଲ୍ଲେଖ କରି ଟେଣ୍ଡର ପକାଇଥିଲେ। ଶେଷରେ ଆଶୀର୍ବାଦ ଫ୍ୟାବ୍ରିକେଟର୍ସକୁ ସର୍ବନିମ୍ନ ମୂଲ୍ୟ ଉଲ୍ଲେଖ କରିଥିବା ଦର୍ଶାଇ ଏଲ୍‌-୧ ଓ ତା’ଠାରୁ ସାମାନ୍ୟ ଅଧିକ ମୂଲ୍ୟ ଦର୍ଶାଇଥିବା ଆବିର୍ଭାବ ଷ୍ଟିଲ୍‌ ପ୍ରଡକ୍ଟକୁ ଏଲ୍‌-୨ ଘୋଷଣା କରିଥିଲେ। ଏଲ୍‌-୧ ଓ ଏଲ୍‌-୨ ଘୋଷିତ ଦୁଇ ସଂସ୍ଥାଙ୍କ ତୁଳନାରେ ଯଥେଷ୍ଟ କମ୍‌ ମୂଲ୍ୟ ତଥା ଅବିକଳ ଆକଳନ ମୂଲ୍ୟ ଉଲ୍ଲେଖ କରିଥିବା ଅଭିଷେକ ଏଂଟରପ୍ରାଇଜର୍ସର ଟେଣ୍ଡରକୁ କର୍ତୃପକ୍ଷ ବିଚାରକୁ ନେଇ ନଥିଲେ। ଏହା ପଛରେ ଥିବା ଆଉ ଏକ ଅଭିସନ୍ଧି ଅନୁସନ୍ଧାନ ସାପେକ୍ଷ।

ଉଲ୍ଲେଖଯୋଗ୍ୟ, ଆକଳନ ଠାରୁ ଟେଣ୍ଡର ବା କାର୍ଯ୍ୟାଦେଶ ଚୁକ୍ତି ମୂଲ୍ୟ ୧୦% ପର୍ଯ୍ୟନ୍ତ ବଢ଼ିଲେ ତାହାକୁ ଅନୁମୋଦନ ଦେବାର କ୍ଷମତା ମୁଖ୍ୟଯନ୍ତ୍ରୀଙ୍କର ରହିଛି। ତେଣୁ ତାଙ୍କ ପରାମର୍ଶରେ ଠିକାଦାର ଦମ୍ପତି ଆକଳନ ମୂଲ୍ୟକୁ ୯%ରୁ ୧୦% ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଅଧିକ ରହସ୍ୟଜନକ ହେଲା- ଏଲ୍‌-୧ ବିବେଚିତ ଆଶୀର୍ବାଦ ଫ୍ୟାବ୍ରିକେଟର୍ସର ସ୍ୱତ୍ୱାଧିକାରୀ ନିରଂଜନ ଲେଙ୍କା ଓ ଏଲ୍‌-୨ରେ ଥିବା ଆବିର୍ଭାବ ଷ୍ଟିଲ୍‌ ପ୍ରଡକ୍ଟର ମାଲିକ ସନ୍ଧ୍ୟାରାଣୀ ଲେଙ୍କା ପରସ୍ପର ପତି ଓ ପତ୍ନୀ। ଉଭୟେ ପୃଥକ କାରଖାନାର ମାଲିକ ଦର୍ଶାଇ ଟେଣ୍ଡର ଆବେଦନ କରିଥିଲେ ମଧ୍ୟ ସେମାନେ ଉଲ୍ଲେଖ କରିଥିବା କାରଖାନା ଠିକଣା ସମାନ ଓ ଗୋଟିଏ (ପ୍ଲଟ୍‌ ନଂ-୧୫୪/ଏଚ୍‌, ଫେଜ୍‌-୨, ନ୍ୟୁ ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌, ଜଗତପୁର, କଟକ, ଓଡିଶା-୭୫୪୦୨୧)। ପୁଣି ଉଭୟ ଦାଖଲ କରିଥିବା ସତ୍ୟପାଠରେ ମଧ୍ୟ ସେମାନଙ୍କ ଠିକଣା ସମାନ। ସେମାନଙ୍କୁ ପୃଥକ ପୃଥକ ଅଂଶଗ୍ରହଣକାରୀ (ବିଡର୍‌) ଦର୍ଶାଇ କର୍ତୃପକ୍ଷ ଏଲ୍‌-୧ ଓ ଏଲ୍‌-୨ ଘୋଷଣା କରିବା ଦ୍ୱାରା ବସ୍ତୁତଃ ଏହା ସିଙ୍ଗଲ ଟେଣ୍ଡରରେ ପରିଣତ ହେଲା ନାହିଁ କି? ସିଙ୍ଗଲ୍‌ ଟେଣ୍ଡର ଆପଣାଛାଏଁ ନାକଚ ହେବାର ନିୟମ ଥିଲା ବେଳେ କର୍ତୃପକ୍ଷଙ୍କ ପରବର୍ତୀ ପଦକ୍ଷେପ କ’ଣ, ତାହା ଦେଖିବାକୁ ବାକି ରହିଲା। ଅନ୍ୟପକ୍ଷରେ ରାଜ୍ୟର କେଉଁ ମହତ ସ୍ୱାର୍ଥ ପାଇଁ କର୍ତୃପକ୍ଷ ଅଧିକ ୧୦% ମୂଲ୍ୟରେ ଠିକାଦାର ଚୟନ କରିବାକୁ ହାଇଁ ପାଇଁ ହେଲେ, ତାହା ମଧ୍ୟ ତଦନ୍ତସାପେକ୍ଷ।

ଏହି କାମର ଟେଣ୍ଡର କର୍ତୃପକ୍ଷ ପୂର୍ବରୁ ହୀରାକୁଦରେ ଅଧୀକ୍ଷଣ ଯନ୍ତ୍ରୀ ଥିବା ବେଳେ ଦୁର୍ନୀତି ଓ ହେରଫେର୍‌ ଅଭିଯୋଗ ତାଙ୍କ ପିଛା ଛାଡି ନଥିଲା। ଏହି କାରଣରୁ ସେ ଅନେକ ଥର ବିଭାଗୀୟ ତଦନ୍ତର ସମ୍ମୁଖୀନ ହୋଇଥିବା ବେଳେ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ମଧ୍ୟ ତ୍ୱରାନ୍ୱିତ ହୋଇଥିଲା। ଯେହେତୁ ଆସନ୍ତା ଏପ୍ରିଲ୍‌ରେ ସେ ଅବସର ନେଉଛନ୍ତି, ତେଣୁ ତାଙ୍କର ଏଭଳି କାରସାଦି ଉପରେ ସରକାର ଏବେଠୁ ତୀକ୍ଷ୍ଣ ନଜର ରଖିବାକୁ ବିଭିନ୍ନ ମହଲରେ ଦାବି ହେଉଛି।