ବିଏମସିର ସଫେଇ କାର୍ଯ୍ୟ ପାଇଁ ୬ଟି ସଂସ୍ଥାକୁ ଟେଣ୍ଡର

ଅବଧି ସରିବା ପରେ ବିଏମସି ପକ୍ଷରୁ ନୂଆ ଟେଣ୍ଡର ଡକାଯାଇଥିଲା….

ଭୁବନେଶ୍ୱର: ଅଗଷ୍ଟ ୧୬ରୁ ବିଏମସିର ସଫେଇ କାର୍ଯ୍ୟ ନୂଆ ସଂସ୍ଥା ହାତକୁ ଯିବ । ବିଏମସି ସଭାଗୃହରେ ମେୟର ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଡେମୋ ଦେଖାଇଥିଲା ଠିକା ସଂସ୍ଥା । ବୈଠକରେ ବିଏମସି କମିଶନରଙ୍କ ସହ ୬୭ ୱାର୍ଡର କର୍ପୋରେଟର ଉପସ୍ଥିତ ରହିଥିଲେ । ବିଏମସିରେ ପୂର୍ବରୁ ଜାଗୃତି, ପିଏମଆର ଓ ରାମକି ସଂସ୍ଥା ସଫେଇ କାର୍ଯ୍ୟ କରୁଥିଲେ । ଅବଧି ସରିବା ପରେ ବିଏମସି ପକ୍ଷରୁ ନୂଆ ଟେଣ୍ଡର ଡକାଯାଇଥିଲା । ୬ଟି ସଂସ୍ଥାକୁ ଟେଣ୍ଡର ମିଳିଛି । ପ୍ରତ୍ୟୁଷା, ଜାଗୃତି, ପି ହର୍ଷବର୍ଦ୍ଧନ ରେଡ୍ଡି, ମଞ୍ଜୁ ସର୍ଭିସ, ଆୱାର ଲ୍ୟାଣ୍ଡ ଏବଂ ଗ୍ରୀନ ସର୍କଲକୁ ସଫେଇ କରିବା ପାଇଁ ଅନୁମତି ମିଳିଛି ।

ଆସନ୍ତା ୧୬ ତାରିଖରୁ ପାଇଲଟ ଭାବେ ଏହି ସଂସ୍ଥା ସଫେଇ କାର୍ଯ୍ୟ କରିବ । ପ୍ରାଥମିକ ପର୍ଯ୍ୟାୟରେ ୪ଟି ପ୍ୟାକେଜରେ ସଫେଇ କାର୍ଯ୍ୟ ଆରମ୍ଭ ହେବ । ପ୍ରତି ୭୫୦ ମିଟର ରାସ୍ତାକୁ ଜଣେ ସଫେଇ କର୍ମଚାରୀ ନିୟୋଜିତ ହେବ । ସଫେଇ କର୍ମଚାରୀ ରାସ୍ତା ସଫେଇ, ଡ୍ରେନ, ମେଡିଆନ ଆଦି ସଫା କରିବେ । କିନ୍ତୁ ଏହି ସଂସ୍ଥାକୁ ଏକ ମାପ ଦଣ୍ଡ ହିସାବରେ ଟଙ୍କା ମିଳିବ । ଯଦି ସଫଳ ହୁଏ ଆଗକୁ ସବୁ ୱାର୍ଡରେ ନାଇଟ ସଫେଇ କରିବାକୁ ଯୋଜନା ରଖିଛି ବିଏମସି ।