ମହିଳାଙ୍କ ସୁରକ୍ଷା କଥା କଂଗ୍ରେସ ମୁହଁରେ ଶୋଭାପାଉନି: ଆଜଦ (ଏଜେଡି ପତାକା ଫଟୋ)

ପଂଜିକୃତ ମାମଲା କମିବାର ଅର୍ଥ ପୁଲିସର ନାଲିଆଖି….

ଭୁବନେଶ୍ୱର: ‘କଂଗ୍ରେସ ଶାସନ ଅମଳରେ ରାଜ୍ୟର ମହିଳା ସମାଜ କେତେ ସୁରକ୍ଷିତ ଥିଲେ; ତକ୍ରାଳୀନ ଜାତୀୟ ଅପରାଧିକ ତାଲିକା ଅନୁଶୀଳନ କରୁ କଂଗ୍ରେସ । ଯେଉଁ କଂଗ୍ରେସ ଶାସନରେ ଦେବୀନଦୀ ପଠାରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ରିପୋର୍ଟର ସ୍ୱାମୀ ଓ ଶିଶୁପୁତ୍ର ସାମ୍ନାରେ ଗଣଦୁଷ୍କର୍ମ କରିବା ପରେ କଲବଲ କରି ମାରି ଦିଆଯାଇଥିଲା । ସଂପୃକ୍ତ ଘଟଣା କେବଳ ତକ୍ରାଳୀନ ଓଡିଶାକୁ ଥରହର କରିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ବିବ୍ରତ କରିଥିଲା । ସେହି କଂଗ୍ରେସ ଏବେ ବିଜେଡି ଶାସନରେ ମହିଳାଙ୍କ ସୁରକ୍ଷା ବିଷୟ ଉଠାଇ ସମାଲୋଚନା କରିବା ଅର୍ଥ ଚାଲୁଣୀ କହୁଛି ଛୁଂଚିକୁ ।’ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ‘ଆମ ଜନତା ଦଳ (ଏଜେଡି)’ ଆବାହକ ସୀତାରାମ ବେହେରା ।
ସାକ୍‌ସୀ ନ୍ୟୁଜକୁ ସାକ୍ଷାତକାର ଦେଇ ଏଜେଡି ଆବାହକ ସୀତାରାମ ବେହେରା କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକୁ ସମାଲୋଚନା କରିବାକୁ ଚାହାନ୍ତିନାହିଁ । ରାଜ୍ୟବାସୀ ତାଙ୍କ ଶାସନକୁ ପସନ୍ଦ କରି ବାରମ୍ବାର କ୍ଷମତାରେ ବସାଉଛନ୍ତି । ତା’ର ସୁଯୋଗ ନେଇ ନବୀନବାବୁ ରାଜ୍ୟବାସୀଙ୍କ ସହିତ ଖେଳୁଛନ୍ତି; ଏଥିରେ ସେ ନବୀନବାବୁଙ୍କୁ ସମାଲୋଚନା କରିବା ଅର୍ଥ ଜନାଦେଶକୁ କୁଠାରଘାତ କରିବା । ସଦ୍ୟ ପ୍ରକାଶିତ ଜାତୀୟ ଅପରାଧିକ ତଥ୍ୟାବଳୀକୁ ଅନୁଶୀଳନ କଲେ, ନବୀନବାବୁଙ୍କ ଅମଳରେ ଶିଶୁ ଅପହରଣ ଓ ନାରୀ ନିର୍ଯାତନା ଚରମ ସ୍ଥାନରେ ପହଂଚିଛି । ପଡୋଶୀ ରାଜ୍ୟ ତୁଳନାରେ ଓଡିଶାର ଅପରାଧିକ ହାର ଆପାତତଃ ସନ୍ତୋଷଜନକ କହିବା ଅର୍ଥ ‘କମ୍ବଳଟା ଯାକ ଲୋମ ସାଲୁବାଲୁ’ । ଗତ ୫ ବର୍ଷରେ ନିଖୋଜ ୧୫ ହଜାର ଶିଶୁଙ୍କ ଭିତରୁ ଶିଶୁକନ୍ୟାଙ୍କ ସଂଖ୍ୟା ୧୨,୧୯୯ । ଏହା ଆମ ପୁଲିସ ପ୍ରଶାସନ ପାଇଁ ଗୌରବର ବିଷୟ ।

ନାରୀ ସୁରକ୍ଷା ପ୍ରସଙ୍ଗରେ ଆମ ପୁଲିସ ସାମାଜିକ ପ୍ରତିଷ୍ଠିତ ମହିଳାଙ୍କ ବୟାନକୁ ବେଦର ଗାର ମଣି ନିରୀହ ମହିଳାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବାରେ ଆଗୁଆ ରହିଛି । ପଡୋଶୀ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଅପରାଧିକ ମାମଲା କମ୍‌ ପଂଜିକୃତ ହେବାର କାରଣ ଆମ ପୁଲିସ ବାବୁଙ୍କର ନାଲିଆଖି । ଅଭିଯୋଗକାରିଣୀ ଥାନାରେ ପହଂଚିବା ପରେ ତାଙ୍କ ଏଫ୍‌ଆଇଆରକୁ ପଢ଼ି ପୁଲିସ ଅପରପକ୍ଷକୁ ଥାନାକୁ ଡାକିଥାଏ । ମାତ୍ର ଦୁଇଟି ପକ୍ଷର ପକେଟ୍‌ ମାପିବା ପରେ ଦୁର୍ବଳ ପକ୍ଷକୁ ଗାଳିଫଜିତ କରି ମାମଲା ଉଠାଇନେବାକୁ ଚାପ ପକାଏ । ତେଣୁ ପଂଜିକୃତ ମାମଲା ସଂଖ୍ୟା କମିଯିବା ସ୍ୱାଭାବିକ । ଥାନାରେ ଅଭିଯୋଗକାରିଣୀର ମୁହଁ ବନ୍ଦ କରିବା ପ୍ରକ୍ରିୟା ଦୀର୍ଘ ୭ ଦଶନ୍ଧି ଧରି ଚାଲିଛି ।
ତେବେ ଯେଉଁ ରାଜ୍ୟର ମହିଳାମାନେ ଅନ୍ୟାୟ ବିରୋଧରେ ଲଢ଼ିବାରେ ଯେତିକି ପାରଙ୍ଗମ । ସେହି ରାଜ୍ୟର ପଂଜିକୃତ ମାମଲା ସେତିକି ହାରରେ ବୃଦ୍ଧିପାଇଛି । ନବୀନବାବୁଙ୍କ ଶାସନରେ ରାଜ୍ୟର ଅପରାଧିକ ହାର ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍‌ ତା’ର କାରଣ ପୁଲିସ ପ୍ରଶାସନର ନାଲିଆଖି । ୭୦ ବର୍ଷ ଧରି ଦେଶର ପୁଲିସ କ୍ଷମତାସୀନ ଦଳର ତୋଷାମଦ କରିଆସୁଛି । ଆଗକୁ ସେହି ଧାରା ଚାଲୁରହିବ । ଏଥିରେ କାହାର କିଛି କରିବାର ନାହିଁ ।