ଭୁବନେଶ୍ୱର: ଦରବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେଡି । ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଯେଉଁଭଳି ଛଟପଟ ହେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଏନେଇ ସୂଚନା ଦେଇଛନ୍ତି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଆସନ୍ତା ନଭେମ୍ବର ୧ରେ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ କରିବ । ରାଜ୍ୟବ୍ୟାପୀ ଏହି ବିକ୍ଷୋଭ ହେବ । ଏହାସହ ଆସନ୍ତାକାଲି ରାଜଭବନ ଆଗରେ ଧାରଣା ଦେବ ଦଳ ଓ ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି କହିଛନ୍ତି ପ୍ରମିଳା । ୫ରୁ ୭ ନଭେମ୍ବର ଯାଏଁ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି କାରଣରୁ ୧୪୭ ନିର୍ବାଚନମଣ୍ଡଳୀରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପେଟ୍ରୋଲ ପମ୍ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରାଯିବ ।