ଗତକାଲି ମହାନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ ଥିବା ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ ଦାସଙ୍କ ମୃତଦେହ ଉଦ୍ଧାର

କଟକ: କଟକ ଜଗତପୁରରେ ଗତକାଲି ମହାନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ ଥିବା ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ ଦାସଙ୍କ ମୃତଦେହ ମିଳିଛି। କଟକ ଜିଲ୍ଲା କିଷନନଗର ଥାନା ସିର୍ଲୋ ବ୍ରାହ୍ମଣଖଣ୍ଡ ମହାନଦୀ ପଠାରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ମାଝୀ ସୂଚନା ଦେଇଛନ୍ତି। ମୃତକଙ୍କ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିବା ସେ କହିଛନ୍ତି। ଗତକାଲି ଜଗତପୁର ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ସେ କାର୍‌ରେ ତାଙ୍କ ଚାଉଳିଆଗଞ୍ଜ ସ୍ଥିତ ଘରୁ ଟାଙ୍ଗୀ ଅଭିମୁଖେ ଯାଉଥିଲେ। ତାଙ୍କ ସାଙ୍ଗରେ ଡ୍ରାଇଭର ମଧ୍ୟ ଥିଲେ। ମହାନଦୀ ବ୍ରିଜ୍ ଉପରେ ସେ କାର୍‌କୁ ଅଟକାଇଥିଲେ। କାର୍ ଅଟକିବା ପରେ ସେ ଓହ୍ଲାଇ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ। ଡ୍ରାଇଭରଙ୍କ ବୟାନ ଆଧାରରେ ପୁଲିସ୍ ଏହି ସୂଚନା ଦେଇଥିଲା। ତେବେ ପୁଲିସ୍ ଘଟଣାକୁ ଗୁରୁତର ସହିତ ନେଇଛି। ସଂପୃକ୍ତ ଡ୍ରାଇଭରଙ୍କୁ ମଧ୍ୟ ପୁଲିସ୍ ପଚରାଉଚରା କରିଛି।