ଜାଇକା ଗାତରେ ପଡ଼ି କାନ୍ଦୁଛି ରାଜଧାନୀ

ଅଂଚଳବାସୀଙ୍କ ଅନୁରୋଧ ରକ୍ଷା କରି ବାଇକ ପାଇଁ ଅସ୍ଥାୟୀ ପୋଲ ବ୍ୟବସ୍ଥା କରାଯାଇଥିଲା……

ଚନ୍ଦ୍ରଶେଖରପୁର: ପାର୍ବଣ ଋତୁ ଆସିଲାଣି । ଲୋକମାନେ ପିଲାଛୁଆଙ୍କୁ ଧରି ପୂଜାମଣ୍ଡପ ବୁଲିବେ । ମେଳା ମଜା ଉଠାଇବେ । ମାତ୍ର ଲୋକଙ୍କ ସବୁଇଛା ଆଗ୍ରହ ଜାଇକା ଗାତରେ ପଡ଼ିଯାଇଛି । ଆସନ୍ତୁ ଚନ୍ଦ୍ରଶେଖରପୁର ଅଂଚଳକୁ ଯିବା । ଲୋକଙ୍କ ବାଟ ଓଗାଳିଛି ରାସ୍ତା । ଘଂଟା ଘଂଟା ଧରି ଗାଡ଼ି ବୁଲୁଛି; ମାତ୍ର ପୂଜା ମଣ୍ଡପ ନିକଟରେ ପହଂଚି ପାରୁନି । କଥା କ’ଣ କି ଚନ୍ଦ୍ରଶେଖରପୁର-ନିଳାଦ୍ରୀବିହାର ମୁଖ୍ୟ ରାସ୍ତାରେ ଜାଇକା କାମ ଚାଲିଛି । ଦୀର୍ଘ ୭ ମାସ ହେଲାଣି ଜାଇକା କାମ ସରୁନି । ଉଭୟ ଅଂଚଳକୁ ସଂଯୋଗ କରୁଥିବା ପୋଲକୁ ଭାଙ୍ଗି ସରକାରୀ ବାବୁମାନେ ନିରବ । ସତେ ଯେପରି ଲୋକଙ୍କ ଦହଗଞ୍ଜ ଦେଖିବାକୁ ଆଗ୍ରହୀ । ଅଂଚଳବାସୀଙ୍କ ଅନୁରୋଧ ରକ୍ଷା କରି ବାଇକ ପାଇଁ ଅସ୍ଥାୟୀ ପୋଲ ବ୍ୟବସ୍ଥା କରାଯାଇଥିଲା ।

କିନ୍ତୁ ତାହା ଏବେ ଜଟିଳ ହେଲାଣି । ଗଣେଶ ପୂଜା ସରିଗଲା । ଆଗକୁ ଦୁର୍ଗାପୂଜା ଆସୁଛି । ଲୋକମାନେ ପିଲାଙ୍କୁ ଧରି ବୁଲିବାର ମଜା ଉଠାଇ ପାରିବେନି । ଚନ୍ଦ୍ରଶେଖରପୁର, ବିଡିଏ କଲୋନୀ, ନିଳାଦ୍ରୀ ବିହାର, ଶୈଳଶ୍ରୀବିହାର ପ୍ରଭୃତି ଅଂଚଳରେ ୫୦ରୁ ଅଧିକ ଗଣପତି ପୂଜା ପାଉଛନ୍ତି । ଆଗାମୀ ଦିନରେ ମା’ ଦୁର୍ଗା ପୂଜା ପାଇବେ । ହେଲେ ରାସ୍ତା କାମ ସାରିବା ଦିଗରେ ନିର୍ବାଚିତ ଲୋକପ୍ରତିନିଧିମାନେ ସାମାନ୍ୟ ଉଦ୍ୟମ କରୁନାହାନ୍ତି । ଯାହା ଚାଲିଛି, ଚାଲୁ ନୀତିରେ ଠିକାଦାର ସଂସ୍ଥା, ସରକାରୀ ବାବୁ, ନିର୍ବାଚିତ ଜନପ୍ରତିନିଧି ଚାଲିଛନ୍ତି । ରାସ୍ତାକାମ କେବେ ସରିବ; ତା’ର ଜବାବ କାହା ପାଖରେ ନାହିଁ ।